ଡିଜିପି ଚୟନ , ଆଜି ସୁପ୍ରିମ୍ କୋର୍ଟରେ ନିର୍ଣ୍ଣାୟକ ଶୁଣାଣି

ଡିଜିପି ଚୟନ , ଆଜି ସୁପ୍ରିମ୍ କୋର୍ଟରେ ନିର୍ଣ୍ଣାୟକ ଶୁଣାଣି
Samaya Live News Picture
Published On

ଭୁବନେଶ୍ୱର : ଡିଜିପି ଚୟନ ବିବାଦ ଇ ଆଜି ସୁପ୍ରିମକୋର୍ଟରେ ହେବ ଓଡ଼ିଶା ପୁଲିସ ମୁଖ୍ୟ ଚୟନ ଉପରେ ନିର୍ଣ୍ଣାୟକ ଶୁଣାଣି । ମଙ୍ଗଳବାର ମାମଲାର ଚୂଡାନ୍ତ ଶୁଣାଣି ହେବା ବାକି ରହିଥିଲା । ଆଜି ପୁଣି ଏହାର ଶୁଣାଣି ହେବାକୁ ଥିବାରୁ ଅଦାଲତଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ପୂର୍ବରୁ  ଚାରି ଚାରି ଥର ଶୁଣାଣି ବେଳେ କୌଣସି ନା କୌଣସି କାରଣ ପାଇଁ ପରବର୍ତ୍ତୀ ତାରିଖକୁ ଘୁଞ୍ଚିଥିବା ବେଳେ, ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ବିଚାର କରୁଛନ୍ତି ।

ଆଇପିଏସ୍ ଅଧିକାରୀଙ୍କ ଯୋଗ୍ୟତା ତାଲିକା ପ୍ରସ୍ତୁତ କରିବା, ବରିଷ୍ଠ ଆଇପିଏସ୍ ସୁଶାନ୍ତ କୁମାର ନାଥଙ୍କ ନାମ ଏହି ତାଲିକାରୁ ବାଦ୍ ପଡ଼ିବା ଏବଂ ୟୁପିଏସ୍‌ସିର ଚୟନ ପ୍ରକ୍ରିୟାକୁ ନେଇ କୋର୍ଟରେ ପ୍ରଶ୍ନ ଉଠିଛି । ଗତ ୭ ତାରିଖ ଦିନ ଶୁଣାଣି ବେଳେ ନୂଆ ମୋଡ଼ ପଦାକୁ ଆସିଥିଲା। ପ୍ରଥମ ଥର ପାଇଁ ବରିଷ୍ଠ ଆଇପିଏସ୍‌ ସୁଶାନ୍ତ ନାଥଙ୍କ ଆଇନଜୀବୀ ସୁପ୍ରିମ୍‌କୋର୍ଟରେ ହାଜର ହୋଇ ପକ୍ଷ ରଖିଥିଲେ। ଯାହାକି ମାମଲାକୁ ଆହୁରି ଜଟିଳ କରିଥିଲା । ସୁଶାନ୍ତ ନାଥଙ୍କ ଆଇନଜୀବୀ କହିଥିଲେ ଯେ, ପୂର୍ବରୁ ଡିଜିପି ପଦ ପାଇଁ ପ୍ରସ୍ତାବିତ ପ୍ରାର୍ଥୀଙ୍କ ତାଲିକାରେ ସୁଶାନ୍ତଙ୍କ ନାମ ଥିଲା । ହେଲେ କେଉଁ ପରିସ୍ଥିତିରେ ତାଙ୍କ ନାମକୁ ରାଜ୍ୟ ସରକାର କାଟିଦେଲେ? ଏହାପଛରେ ଯଥାର୍ଥତା କ’ଣ ରହିଛି? ଯେଉଁଭଳି ଭାବେ ତାଙ୍କ ନାମକୁ କଟାଯାଇଛି ତାହା ସମ୍ପୂର୍ଣ୍ଣ ବେଆଇନ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଦାବି ସମ୍ପର୍କରେ ମତ ଓ ତଥ୍ୟ ପ୍ରଦାନ ପାଇଁ ସୁଯୋଗ ଦେବାକୁ ଖଣ୍ଡପୀଠଙ୍କ ନିକଟରେ ଅନୁରୋଧ କରିବା ପରେ ପରବର୍ତ୍ତୀ ଶୁଣାଣି ୧୭କୁ ଘୁଞ୍ଚିଥିଲା । ହେଲେ ଅନେକ ଗୁରୁତ୍ବପୂର୍ଣ୍ଣ ମାମଲା ଥିବାରୁ ୧୭ରେ ଶୁଣାଣି ହୋଇପାରି ନଥିଲା। ପରେ ଏହି ଶୁଣାଣି ସେପ୍ଟେମ୍ବର ୨୨କୁ ଘୁଞ୍ଚିଥିଲା ।

 

ଡିଜିପି ଚୟନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଯୋଗ୍ୟ ଆଇପିଏସ୍ ଅଧିକାରୀଙ୍କ ତାଲିକା, ବରିଷ୍ଠତା, ଚାକିରି ଅବଧି ଓ ଯୋଗ୍ୟତାକୁ ନେଇ ମାମଲାରେ ପ୍ରଶ୍ନ ଉଠିଛି । ତୁଳନାତ୍ମକ ଭାବେ କନିଷ୍ଠ ଅଧିକାରୀଙ୍କୁ ଚୟନ ପରିସରକୁ ଆଣିବା ପାଇଁ ତାଲିକାରେ ପରିବର୍ତ୍ତନ କରାଯାଇଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି ।ରାଜ୍ୟ ସରକାର ଡିଜିପି ଚୟନ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ୨୦୦୬ର ଐତିହାସିକ ପ୍ରକାଶ ସିଂହ ମାମଲା ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି ।

 ଏହି ନିୟମ ଅନୁସାରେ ୟୁପିଏସ୍ ସି ଯୋଗ୍ୟ ଓ ବରିଷ୍ଠ ଅଧିକାରୀଙ୍କ ମଧ୍ୟରୁ ସାଧାରଣତଃ ତିନିଜଣଙ୍କ ନାମ ନେଇ ପ୍ୟାନେଲ ପ୍ରସ୍ତୁତ କରିଥାଏ। ସେହି ପ୍ୟାନେଲରୁ ରାଜ୍ୟ ସରକାର ଜଣଙ୍କୁ ଡିଜିପି ଭାବେ ନିଯୁକ୍ତ କରନ୍ତି । ମାମଲାରେ ନିଯୁକ୍ତ ଆମିକସ୍ କ୍ୟୁରୀ ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନ ମଧ୍ୟ ନିଜ ରିପୋର୍ଟ ଦାଖଲ କରିଛନ୍ତି । ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ମାର୍ଗଦର୍ଶିକା ପାଳନ ହୋଇନଥିବା ନେଇ ସେ ପ୍ରଶ୍ନ ଉଠାଇଥିବା ରିପୋର୍ଟ ରହିଛି । ଆଜି ଆବେଦନକାରୀ, ରାଜ୍ୟ ସରକାର, ୟୁପିଏସ୍ ସି ଏବଂ ଅନ୍ୟ ସମ୍ପୃକ୍ତ ପକ୍ଷଙ୍କ ଯୁକ୍ତି ଶୁଣିପାରନ୍ତି ସର୍ବୋଚ୍ଚ ଅଦାଲତ । 

ଓଡ଼ିଶା ପୋଲିସ ମୁଖ୍ୟାଳୟ ପ୍ରଥମେ ଡିଜିପି ପାହ୍ୟାର ତିନି ବରିଷ୍ଠ ଆଇପିଏସ୍ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ କୁମାର ନାଥ ଏବଂ ଆର୍ .ପି. କୋଚେଙ୍କ ନାମ ରାଜ୍ୟ ସରକାରଙ୍କୁ ପଠାଇଥିଲା । ପରେ ରାଜ୍ୟ ସରକାର UPSCକୁ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ ଏକ ବ୍ୟାପକ ତାଲିକା ପଠାଇଥିଲେ । ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଅଗଷ୍ଟରେ UPSCକୁ ଡିଜିପି ପଦ ପାଇଁ ତିନିଜଣିଆ ପ୍ୟାନେଲ୍ ପ୍ରସ୍ତୁତି ସ୍ଥଗିତ ରଖିବାକୁ କୁହାଯାଇଥିଲା । 

 

Tags: