ନୂଆବର୍ଷରେ ଭକ୍ତିମୟ ପରିବେଶ,ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼
ଭୁବନେଶ୍ୱର : ମୋୖଜ ମସ୍ତିରେ ବିଦାୟ ନେଇଛି ୨୦୨୫ ଡିସେମ୍ବର ୩୧ ରାତି । ମଧ୍ୟରାତ୍ରରୁ ପାଦ ଥାପିଛି ନୂଆବର୍ଷ ୨୦୨୬ । ନୂଆ ଉତ୍ସାହ,ଉଦ୍ଦୀପନା ଏବଂ ନୂଆ ସମ୍ଭାବନା ସହ ଆସିଛି ନୂଆବର୍ଷ । ପରସ୍ପରକୁ ଅଭିନନ୍ଦନ ଜଣାଇ ସ୍ବାଗତ କରିଛନ୍ତି ସମସ୍ତେ । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସକାଳୁ ସକାଳୁ ସବୁଠି ସୃଷ୍ଟି ହୋଇଛି ଭକ୍ତି ମୟ ପରିବେଶ । ରାଜ୍ୟର ଭିନ୍ନ ଦେବାଳୟ ମାନଙ୍କରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗିଛି । ଠାକୁରଙ୍କ ଶରଣରେ ଯାଇ ଦୀପଟିଏ ଜାଳି ପରିବାରର ଶୁଭ ମନାସୀ ଦିନ ଆରମ୍ଭ କରିବାକୁ ସମସ୍ତେ ବ୍ୟଗ୍ର ।
ବର୍ଷର ଆରମ୍ଭ ଦିନରେ ଜଗା ଦୁଆରେ ପ୍ରଣିପାତ କରି ନୂଆ ଉତ୍ସାହ ସହ କିଛି ନୂଆ ଆରମ୍ଭ କରିବା ଉଦ୍ଦେଶ୍ୟରେ ପୁରୀକୁ ଛୁଟିଛନ୍ତି ଲକ୍ଷ ଲକ୍ଷ ଭକ୍ତ । ଶ୍ରୀମନ୍ଦିରଠାରୁ ସମୁଦ୍ର, ବଡ଼ଦାଣ୍ଡଠାରୁ ବେଳାମାର୍ଗ ସବୁଠି ଶ୍ରଦ୍ଧାଳୁଙ୍କ ସମାଗମ। ନବବର୍ଷ ଶୁଭମୟ ହେଉ ବୋଲି ମହାପ୍ରଭୁଙ୍କୁ ଗୁହାରି କରୁଛି ତ କିଏ ସୁନ୍ଦର ଅନୁଭୂତିରେ ବର୍ଷ ବିତିଥିବାରୁ କୃତଜ୍ଞତାର ଲୁହ ଝରାଉଛି ।
ନୂଆବର୍ଷ ନୀତିକାନ୍ତି ପାଇଁ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଖୋଲିଛି । ନୀତିକାନ୍ତି ପରେ ଦର୍ଶନ ଚାଲିଛି । କେବଳ ସିଂହଦ୍ବାର ଦେଇ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତିି। ମନ୍ଦିର ଭିତରେ ବାହାର କାଠରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।
ସେହିପରି,ନବବର୍ଷରେ ମାଆ ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ । ଭୋର ପାଞ୍ଚଟାରେ ମନ୍ଦିର ପହୁଡ଼ ଖୋଲାଯାଇ ରୀତିନୀତ ଅନୁଯାୟୀ ମାଆଙ୍କ ମଙ୍ଗଳ ଆଳତୀ କରାଯାଇଥିଲା । ଶ୍ରଦ୍ଧାଳୁଙ୍କ ପାଇଁ ସକାଳ ୬ଟାରେ ମନ୍ଦିର ଗେଟ ଖୋଲାଯାଇଥିଲା। ଶାନ୍ତିଶୃଙ୍ଖଳା ଦର୍ଶନ ପାଇଁ ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନବ ବର୍ଷର ପ୍ରଥମ ଦିନରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଧାଡି ଦର୍ଶନର ବ୍ୟବସ୍ଥା କରାଯାଇଛି। ସନ୍ଧ୍ୟାରେ ମଧ୍ୟ ଭିଡ଼କୁ ଦୃଷ୍ଟିରେ ରଖି ୨୪ଘଣ୍ଟା ପୋଲିସ ମୁତୟନ ରହିବେ ।
ଅନ୍ୟପଟେ ଭୁବନେଶ୍ୱର ଏକାମ୍ରକ୍ଷେତ୍ର ର ଅଧିପତି ମହାପ୍ରଭୁଲିଙ୍ଗରାଜଙ୍କ ଆଶିଷ ନେବାକୁ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ ଲାଗିଛି । ବର୍ଷଟି ଭଲରେ କଟିବା ସହ ପରିବାରର ମଙ୍ଗଳ କାମନା କରିଛନ୍ତି ଶ୍ରଦ୍ଧାଳୁ ।



