ନବୀନ ଙ୍କୁ ଦେବୀଙ୍କ ଖୋଲା ଚ୍ୟାଲେଞ୍ଜ
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପରେ ବିଜୁ ଜନତା ଦଳରେ ତୀବ୍ର ହୋଇଛି ଦଳୀୟ କନ୍ଦଳ । ସେଦିନ ବିଜେଡ଼ିକୁ ଚକମା ଦେଇ ସ୍ୱାଧୀନ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେଇ ଖୋଲାଖୋଲି ସୁପ୍ରିମୋ ନବୀନଙ୍କୁ ଚ୍ୟାଲେଞ୍ଜ କରିଥିଲେ ବାଙ୍କୀ ଯୁବ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ତଥା ନବୀନଙ୍କ ବିରୋଧରେ ଖୁବ ବର୍ଷିଛନ୍ତି । ବିଜୁ-ନବୀନ ଇନସ୍ପେରସନାଲ୍ ଫାଉଣ୍ଡେସନକୁ ନେଇ ସ୍ପଷ୍ଟୀକରଣ ମାଗିଛନ୍ତି ଦେବୀ । ସେ କହିଛନ୍ତି ଏବେ ବି ପାଣ୍ଡିଆନଙ୍କ କବ୍ଜାରେ ଦଳ ରହିଛି । ପୂର୍ବରୁ ୨୦ ବିଧାୟକଙ୍କ ଉପସ୍ଥିତିରେ କହିଥିଲେ ଟ୍ରଷ୍ଟ ବିଷୟରେ ଜାଣି ନାହାନ୍ତି । ଏନେଇ ପ୍ରଭାତ ବିଶ୍ବାଳଙ୍କ ଅଭିଯୋଗକୁ ଭିତ୍ତିହୀନ କହିଥିଲେ ନବୀନ । ତେଣୁ ଆଜି ନବୀନ ବାବୁ କାହା ଚାପରେ ଆସି ଟ୍ରଷ୍ଟ ଗଠନ ବିଷୟରେ କହିଲେ । ମୁଁ ବିଜେଡିର ନୀତି ଆଦର୍ଶ ସହ ରହିଛି, ମାତ୍ର ନିଷ୍ପତ୍ତି ସହିତ ନାହିଁ' । ବିଜେଡିର ଅଣକଂଗ୍ରେସ ଚିନ୍ତାଧାରା ସହ ଅଛି, ଚାଟୁକାରଙ୍କ ସହ ନାହିଁ' ।
ଗୃହବନ୍ଦୀ ହୋଇ ରହିଥିବା ନବୀନ ବାହାରକୁ ଆସି ଖୋଲାଖୋଲି କୁହନ୍ତୁ, ତାଙ୍କ ସହିତ ସମସ୍ତେ ଅଛନ୍ତି ବୋଲି ସେ ଆହ୍ୱାନ କରିଛନ୍ତି । ସେ କହିଛନ୍ତି ଯେ ସଂତୃପ୍ତ ମିଶ୍ର ୨୦୨୪ ସାଧାରଣ ନିର୍ବାଚନରେ ପ୍ରତ୍ୟାଖ୍ୟାନ ହୋଇଥିଲେ । ଅନେକ ବିଜେଡ଼ି କର୍ମୀ ବର୍ଷ ବର୍ଷ ଧରି ଅବହେଳିତ ଅବସ୍ଥାରେ ଥିବାବେଳେ କେଉଁ ଆଧାରରେ ପ୍ରତ୍ୟାକ୍ଷାତ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ପୁଣି ଥରେ ରାଜ୍ୟସଭା ପ୍ରାର୍ଥୀ କରାଗଲା ? ତେଣୁ ପାଣ୍ଡିଆନଙ୍କୁ ଖୁସି କରୁଥିବା ଯୁବପୀଢ଼ି ଏବଂ ନେତୃବୃନ୍ଦମାନେ ତୋଷାମଦିଆ ରାଜନୀତି ଛାଡ଼ି ସ୍ୱର ଉତ୍ତୋଳନ କରନ୍ତୁ ବୋଲି ଦେବୀ ଆହ୍ୱାନ କରୁଛନ୍ତି ।
ସେପଟେ , କ୍ରସ ଭୋଟିଂକୁ ନେଇ ଦେବୀଙ୍କୁ ଆସିଥିବା ସୋ କଜ୍ ନୋଟିସ୍ ପ୍ରସଙ୍ଗରେ ଜବାବ ରଖିଛନ୍ତି । ସେ କହିଛନ୍ତି ପ୍ରାଥମିକ ସଦସ୍ୟ ପଦ ଛାଡିବା ପ୍ରଶ୍ନ ଉଠୁ ନାହିଁ । ମୁଁ ବିଜେଡି ନେତା, ସାଧାରଣ ସମ୍ପାଦକ ରହିଛି । ମୁଁ ବିଶ୍ୱାସଘାତ କରିନାହିଁ । ଯାହା ମତେ ଠିକ ଲାଗିଛି ମୁଁ ତାହା କରିଛି । ମୁଁ ବିଜୁ ବାବୁଙ୍କ ଆଦର୍ଶରେ ଏବେ ବି ବିଜେଡି ସହ ଜଡିତ ଅଛି । ମାର୍ଚ୍ଚ ୨୦ ସୁଦ୍ଧା କାରଣ ଦର୍ଶାଓ ନୋଟିସ ପାଇଁ ଜବାବ ରଖିବି ।
ଅନ୍ୟପଟେ ବିଜେଡ଼ି ଯୁବ ଓ ମହିଳା ମୋର୍ଚ୍ଚା ପକ୍ଷରୁ ଦେବୀଙ୍କ ବାସଭବନ ସମ୍ମୁଖରେ ଜୋରାଦାର ବିରୋଧ ପ୍ରଦର୍ଶନ କରିଛନ୍ତି । ଦେବୀଙ୍କ ବିରୁଦ୍ଧରେ ନାରାବାଜି କରାଯାଉଛି । ଯାହାକୁ ଦୃଷ୍ଟିରେ ରଖି ଦେବୀଙ୍କ ବାସଭବନ ସମ୍ମୁଖରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସୂଚନାନୁସାରେ ନିର୍ବାଚନ ପୂର୍ବରୁ ବସିଥିବା ବିଜେଡ଼ି ବୈଠକରେ ପ୍ରଭାତ ବିଶ୍ୱାଳ ସଂତୃପ୍ତ ମିଶ୍ରଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ । ସେତେବେଳେ ନବୀନ ଏହାକୁ ଭିତ୍ତି ହୀନ କହିଥିଲେ । ଆଉ ପ୍ରଭାତଙ୍କୁ ତୁରନ୍ତ କୋଠରୀରୁ ବହିଷ୍କାର କରିଦିଆଯାଇଥିଲା । କିନ୍ତୁ ଗତକାଲି ଶ୍ରୀମୟୀ ମିଶ୍ର ଉକ୍ତ ଫାଉଣ୍ଡେସନ ବିଷୟରେ ସମସ୍ତ ଦସ୍ତାବିଜ ସହିତ ସାମାଜିକ ଗଣମାଧ୍ୟମରେ ଖୁଲାସା କରିଥିଲେ । ଯାହାର ଆଜି ନବୀନ ସ୍ପଷ୍ଟୀକରଣ କରିଛନ୍ତି ।



