ଶଙ୍ଖ ଛାଡି ପଦ୍ମ ଧରିବେ ଦେବାଶିଷ ସାମନ୍ତରାୟ !
ଭୁବନେଶ୍ୱର : ରାଜନୈତିକ ମହଲରେ ହଲଚଲ । ପଦ୍ମ ଧରିବେ ବିଜେଡି ର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ! ସୁଜିତ କୁମାର ଏବଂ ମମତା ମହନ୍ତଙ୍କ ପରେ ପଦ୍ମ ପୋଖରୀକୁ ଡ଼େଇଁବେ ଦେବାଶିଷ । ସେ ଉଭୟ ବିଜେଡି ଏବଂ ରାଜ୍ୟସଭା ପଦରୁ ଇସ୍ତଫା ଦେଇ ଆଜି ପଦ୍ମ ଧରିବେ ବୋଲି ଚର୍ଚ୍ଚା ଜୋର ଧରିଛି ।
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିବା ଦେବାଶିଷ ବିଭିନ୍ନ କାରଣକୁ ନେଇ ଦଳ ସହିତ ଅସନ୍ତୁଷ୍ଟ ଥିଲେ। ତାଙ୍କର ଅନୁଗତମାନଙ୍କୁ ଦଳରେ ଗୁରୁତ୍ଵ ଦିଆଯାଉନଥିବା ନେଇ ସେ ମଧ୍ୟ ବେଳେ ବେଳେ କ୍ଷୋଭ ପ୍ରକାଶ କରୁଥିଲେ । ଗତ କିଛି ମାସ ହେଲା ସେ ଦଳୀୟ ବ୍ୟାପାର ବା ସଙ୍ଗଠନରେ ମୁଣ୍ଡ ଖେଳାଉନଥିଲେ। କୌଣସି ଟିପ୍ପଣୀ ଦେବାରୁ ନିଜକୁ ଦୂରେଇ ରଖୁଥିଲେ। ଏହି ସବୁ କାରଣରୁ ସେ ବିଜେଡି ଛାଡି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ତାହାର ପ୍ରଭାବ କଟକ, ତିର୍ତ୍ତୋଲ ଓ ପାରାଦୀପ ରାଜନୀତିରେ ଅନୁଭୂତ ହେବ ବୋଲି ଆକଳନ କରାଯାଉଛି।



