ନୂଆପଡାରେ ମୋହନ ମ୍ୟାଜିକ,ସୁଭଦ୍ରା ଭଉଣୀଙ୍କୁ ଧନ୍ୟବାଦ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ନୂଆପଡା : ନୂଆପଡାରେ କାମ କରିଛି ମୋହନ ମ୍ୟାଜିକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମହାମନ୍ତ୍ରର ଫଳ ଜନାଦେଶ ଜରିଆରେ ଦେଇଛନ୍ତି ନୂଆପଡାବାସୀ। ଫଳାଫଳ ଘୋଷଣା ଆଗରୁ ଉପମୁଖ୍ୟମନ୍ତ୍ରୀ ନୂଆପଡ଼ା ବାସୀ ଏବଂ ସୁଭଦ୍ରା ଭଉଣୀ ମାନଙ୍କୁ ଧନ୍ଯବାଦ ଜଣାଇଛନ୍ତି। ଉପମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ' ନମସ୍କାର ନୂଆପଡା। ମୋର ସମସ୍ତ ସୁଭଦ୍ରା ଭଉଣୀମାନଙ୍କୁ ଧନ୍ୟବାଦ। ଆପଣମାନେ ଅନେକ ଗପର ଶେଷ ଅଧ୍ୟାୟ ଲେଖିଦେଲେ।
ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ନୂଆପଡ଼ା ଉପନିର୍ବାଚନରେ ଆମ ଦଳର ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କର ବିଶାଳ ବିଜୟ ସ୍ପଷ୍ଟ ହୋଇଯାଇଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦିଗ୍ଦର୍ଶନରେ ଡବଲ୍ ଇଞ୍ଜିନ୍ ସରକାରଙ୍କର ଓଡ଼ିଶା ପ୍ରତି, ବିଶେଷକରି ନୂଆପଡ଼ାର ବିକାଶ ପ୍ରତି ନିରନ୍ତର ଗୁରୁତ୍ୱ, ଏହି ଜନାଦେଶରେ ପ୍ରତିଫଳିତ ହୋଇଛି। ନୂଆପଡ଼ାବାସୀ ବିଜେଡି ଓ କଂଗ୍ରେସ୍ ନେତାଙ୍କର ମନଗଢ଼ା କଥା ଓ ମିଥ୍ୟା ପ୍ରତିଶ୍ରୁତିରେ ବିଶ୍ୱାସ କରିନାହାନ୍ତି, ବରଂ ସେମାନେ ବିଜେପିର ବିକାଶକୁ ବାଛିଛନ୍ତି।
ସେ କହିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେପି ନଡ୍ଡାଜୀ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନେତୃତ୍ୱକୁ ଅକୁଣ୍ଠିତ ସମର୍ଥନ ଦେଇଥିବା ପ୍ରତି ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଉଛି। ଆମ ସରକାର 'ମହିଳା ସଶକ୍ତିକରଣ'କୁ କେବଳ କଥାରେ ସୀମିତ ନରଖି ଏହାକୁ ବାସ୍ତବ ରୂପ ଦେଇଛନ୍ତି ଏବଂ ସୁଭଦ୍ରା ଭଉଣୀମାନଙ୍କ ଉଦ୍ୟୋଗୀ ଓ ଲକ୍ଷପତି ଦିଦି ହେବାର ସ୍ୱପ୍ନକୁ ପୂରଣ କରୁଛନ୍ତି । ଗତ ଉପ-ନିର୍ବାଚନରେ ସୁଭଦ୍ରା ଭଉଣୀମାନଙ୍କ ଅଜସ୍ର ସମର୍ଥନ ପାଇଁ ମଧ୍ୟ ଅଶେଷ ଧନ୍ୟବାଦ ଜଣାଉଛି ।
ଆଜି ସକାଳ ୮ ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ପ୍ରଥମ ରାଉଣ୍ଡରୁ ହିଁ ଆଗୁଆ ରହି ଆସୁଥିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ I ବର୍ତ୍ତମାନ ୨୧ତମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆ - ୧୦୩୦୮୩ ଖଣ୍ଡ ଭୋଟ ପାଇ ସବୁଠାରୁ ଆଗୁଆ ରହିଛନ୍ତି । କଂଗ୍ରେସର ଘାସିରାମ ମାଝୀ - ୩୩୮୫୮ ଖଣ୍ଡ ପାଇ ୨ୟ ସ୍ଥାନରେ ରହିଥିବାବେଳେ ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ୩୨୦୫୨ ଖଣ୍ଡ ଭୋଟ ପାଇଁ ୩ୟ ସ୍ଥାନରେ ରହିଛନ୍ତି ।


