ସୁପୋଷଣ ‘ପଞ୍ଚତତ୍ତ୍ୱ ପାର୍କ’ର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ସୁପୋଷଣ ‘ପଞ୍ଚତତ୍ତ୍ୱ ପାର୍କ’ର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
Samaya Live News Picture
Published On

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ‘ପଞ୍ଚତତ୍ତ୍ୱ ପାର୍କ’ର ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏହା ସହ ‘ସୁଭଦ୍ରା ସାଧନ କେନ୍ଦ୍ର’ର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ରାଜ୍ୟସ୍ତରୀୟ ଓରିଏଣ୍ଟେସନ-କମ୍-କାପାସିଟି ବିଲଡିଂର ଦୁଇଦିନିଆ କର୍ମଶାଳାର ଶୁଭାରମ୍ଭ କରିଛନ୍ତି ।

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ନିଜ ଅଭିଭାଷଣରେ ଅଙ୍ଗନବାଡ଼ି କର୍ମୀମାନଙ୍କୁ ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ପାଇଁ ଅଭିନନ୍ଦନ ଜଣାଇଥିଲେ । ଓଡ଼ିଶାକୁ କୁପୋଷଣ ମୁକ୍ତ କରିବା ପାଇଁ ତୃଣମୂଳ ସ୍ତରରେ ମା’ମାନଙ୍କୁ ଶିକ୍ଷିତ ତଥା ସଚେତନ କରିବାକୁ ସେ ଆହ୍ୱାନ ଦେଇଥିଲେ, ଯାହାଫଳରେ ସେମାନେ ଶିଶୁମାନଙ୍କ ଯତ୍ନ ନେବାରେ ସହାୟକ ହୋଇପାରିବେ । 

ଏହିଅବସରରେ ସେ ସ୍ଥାନୀୟ ସ୍ତରରେ ଉପଲବ୍ଧ ପୁଷ୍ଟିକର ଖାଦ୍ୟର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ।  ନବନିର୍ମିତ ‘ପଞ୍ଚତତ୍ତ୍ୱ ପାର୍କ’ ବିଷୟରେ ଆଲୋକପାତ କରି ସେ ମହିଳା ମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ଵାରୋପ କରିଥିଲେ । ରାଜ୍ୟ ସରକାର ୫୫,୦୦୦ ଅଙ୍ଗନବାଡି କେନ୍ଦ୍ରକୁ ନିଜସ୍ୱ ଗୃହ ଯୋଗାଇ ଦେଇଥିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏଥିସହ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇ କହିଛନ୍ତି ଯେ, ସମାଜର ପ୍ରତ୍ୟେକ ବ୍ୟକ୍ତି ଯଦି ନିଜର ଶୁଭ ଅବସର ବା ଜନ୍ମଦିନରେ ଅଙ୍ଗନବାଡ଼ି ଶିଶୁଙ୍କୁ ଫଳ ବାଣ୍ଟିବା ପାଇଁ ସଂକଳ୍ପ ନେବେ ତେବେ ଓଡ଼ିଶା ଖୁବ ଶୀଘ୍ର ଏକ ସୁସ୍ଥ ଏବଂ ସମୃଦ୍ଧ ରାଜ୍ୟରେ ପରିଣତ ହେବ।

Tags: