କୃଷି ଅଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓଙ୍କ କଡା ନିର୍ଦେଶ

କୃଷି ଅଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓଙ୍କ କଡା ନିର୍ଦେଶ
Samaya Live News Picture
Published On

ଭୁବନେଶ୍ୱର : କୃଷି ଅଧିକାରୀଙ୍କ ଉପରେ ରାଗି ପଚି ଲାଲ ହେଲେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେ.ଭି.ସିଂହଦେଓ । ବିଭାଗର କାର୍ଯ୍ୟଶୈଳୀକୁ ନେଇ କଡ଼ା ତାଗିଦ କରିଛନ୍ତି । ସରକାରୀ ଖର୍ଚ୍ଚରେ  ବାହାର ରାଜ୍ୟକୁ ଗସ୍ତ କରିଥିବା ଉଦ୍ୟାନ କୃଷି ଅଧିକାରୀ କଣ ଶିଖିକି ଆସିଛନ୍ତି ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ହର୍ଟିକଲଚର ଅଫିସର ସମ୍ମିଳନୀରେ ଅଧିକାରୀଙ୍କ କାର୍ଯ୍ୟକୁ ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ କଡ଼ା ଚେତାବନୀ ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, “ସରକାରଙ୍କୁ ଅନ୍ଧାରରେ ରଖନ୍ତୁ ନାହିଁ। ଯେଉଁ କାମ ପାଇଁ ଯାଉଛନ୍ତି, ତା’ର ସମ୍ପୂର୍ଣ୍ଣ ରିପୋର୍ଟ ଦିଅନ୍ତୁ।”

ବିଶେଷକରି ବିଭିନ୍ନ ଏକ୍ସପୋଜର ଟୁର୍‌କୁ ଯାଉଥିବା ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି କେଭି ସିଂହଦେଓ। ତାଙ୍କ କହିବା ଅନୁଯାୟୀ, ଅନେକ ଅଧିକାରୀ ଉଦ୍ୟାନକୃଷି ସମ୍ପର୍କିତ ଅନୁଭୂତି ଓ ଜ୍ଞାନ ହାସଲ ପାଇଁ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନକୁ ଯାଉଛନ୍ତି। କିନ୍ତୁ ଟୁର୍‌ରୁ ଫେରିବା ପରେ ବିଭାଗକୁ ଆବଶ୍ୟକ ରିପୋର୍ଟ ଦେଉନାହାନ୍ତି । ସେ କହିଛନ୍ତି ଆମୋଦ ପ୍ରମୋଦ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି କି ? ବାହାରକୁ ଗସ୍ତ ପରେ ବି ରାଜ୍ୟରେ କିଛି ପ୍ରତିଫଳନ ହେଉନାହିଁ କାହିଁକି ? ସବୁ ଖର୍ଚ୍ଚର ହିସାବ ଦେବା ଦରକାର । ଅଧିକାରୀମାନଙ୍କୁ ଚେତାବନୀ ଦେଇ କେଭି ସିଂହଦେଓ କହିଛନ୍ତି, “ରାଜ୍ୟ ସରକାର କିମ୍ବା ମୁଁ ରବର ଷ୍ଟାମ୍ପ ନୁହେଁ। ତୁମେମାନେ ସରକାର ଚଳାଉନାହଁ, ଆମେ ସରକାର ଚଳାଉଛୁ।”

ସେ ଆହୁରି କହିଛନ୍ତି ଯେ, ଯେଉଁ ଅଧିକାରୀ ନିୟମ ମାନିବେ ନାହିଁ କିମ୍ବା ନିଜ କାର୍ଯ୍ୟରେ ଅବହେଳା କରିବେ, ତାଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ। “ଯିଏ ନିୟମ ମାନିବ ନାହିଁ କିମ୍ବା କାମରେ ଅବହେଳା କରିବ, ସିଏ ଘରକୁ ପଳେଇବେ,” ବୋଲି ସେ ଚେତାଇଛନ୍ତି।

ସେହିପରି ରାଜ୍ୟରେ ୫୮ଟି କୋଲ୍ଡ ଷ୍ଟୋରେଜ୍ ନିର୍ମାଣ ପାଇଁ ପୂର୍ବରୁ ଘୋଷଣା ହୋଇଥିଲା। ହେଲେ ଏହାର ବାସ୍ତବ କାର୍ଯ୍ୟକାରିତାକୁ ନେଇ ମନ୍ତ୍ରୀ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି।

ବର୍ତ୍ତମାନ କେବଳ ପୁରୀରେ ଗୋଟିଏ କୋଲ୍ଡ ଷ୍ଟୋରେଜ୍‌ ନିର୍ମାଣ ପ୍ରକ୍ରିୟା ଆଗେଇଥିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। କେଉଁଠି ତ୍ରୁଟି ରହିଛି ଏବଂ କାହିଁକି ଅନ୍ୟ ପ୍ରକଳ୍ପଗୁଡ଼ିକ ଆଗକୁ ବଢ଼ୁନାହିଁ, ସେନେଇ ଅଧିକାରୀଙ୍କଠାରୁ ସ୍ପଷ୍ଟ ଉତ୍ତର ମାଗିଛନ୍ତି।

 

Tags: