ଆହୁରି ୪ ଦିନ କଲବଲ କରିବ ଘନ କୁହୁଡି,୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର :ସାରା ରାଜ୍ୟରେ ଜାଡ ର ମାଡ଼ ସହ କଲବଲ କରୁଛି ଘନ କୁହୁଡି । ସକାଳ ୯ଟା ପର୍ଯ୍ୟନ୍ତ ରାସ୍ତାଘାଟ ଦିଶୁନି । ଦୃଶ୍ୟମାନ ଦୂରତା ୫୦ ମିଟରରୁ ବି କମ ରହୁଛି । ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ତେବେ ଆଗକୁ ଆହୁରି ୪ ଦିନ ରହିବ ଘନ କୁହୁଡ଼ି । ଜଗତସିଂହପୁର, ପୁରୀ, କଟକ ଓ ଖୋର୍ଧାରେ ଘନ କୁହୁଡ଼ିର ଆଶଙ୍କା ରହିଥିବା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି କେନ୍ଦ୍ରାପଡ଼ା, ଗଜପତି, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ନୟାଗଡ଼, ଗଞ୍ଜାମ, ସୁନ୍ଦରଗଡ଼ ଓ କନ୍ଧମାଳରେ ଘନ କୁହୁଡ଼ି ରହିବ।
ସେପଟେ ଆସନ୍ତା ଶନିବାର ଓ ରବିବାର ଦୁଇ ଦିନ ରାଜ୍ୟରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିପାରେ । ରାତି ତାପମାତ୍ରା ବଢ଼ିବା ଯୋଗୁ ଶୀତ କମିପାରେ ବୋଲି ମଧ୍ୟ ଆକଳନ ରହିଛି । ଗତ ୨୪ ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ରହିଥିଲା ୭.୫ ଡିଗ୍ରି ।
ଅନ୍ୟପଟେ ଭୁବନେଶ୍ବରର ପାରଦ ସ୍ତର ଗତକାଲି ରାତିରେ ୧୨.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକରେ ରହିଥିଲା ୧୨ ଡିଗ୍ରି । ରାଜ୍ୟରେ ଆସନ୍ତା ୨ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାପରେ ପୁଣି ପାରଦ ସ୍ତର ନିମ୍ନଗାମୀ ହେବ ଓ ପରବର୍ତ୍ତୀ ସମୟରେ ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ଖସିବ । ଫଳରେ ଆଗକୁ ବି ଶୀତ ଜାରି ରହିବ ।
ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡ଼ି ଆଶଙ୍କା ରହିଥିବା ପାଣିପାଗ ବିଭାଗ କହିଛି । କୁହୁଡି ଯୋଗୁ ବିମାନ ଚଳାଚଳ ବି ପ୍ରଭାବିତ ହେଉଛି । ପ୍ରବଳ କୁହୁଡ଼ି ଯୋଗୁ ଚିଲିକାରେ ଦିନ ୧୧ଟା ଯାଏ ବନ୍ଦ ରହିବ ଡଙ୍ଗା ଚଳାଚଳ । ବାରମ୍ବାର ଦୁର୍ଘଟଣା ଘଟୁଥିବା ଯୋଗୁ ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି ।



