ସାରା ରାଜ୍ୟରେ ଘନ କୁହୁଡି,ଆଗକୁ ଆହୁରି ବଢିବ ଶୀତ
ଭୁବନେଶ୍ୱର : ଥଣ୍ଡାରୁ ନିସ୍ତାର ନାହିଁ । ହାଡ଼ ଭଙ୍ଗା ଜାଡରେ ଥରୁଛି ସାରା ରାଜ୍ୟ । ଉପାନ୍ତରୁ ଉପକୂଳ ଜାରି ରହିଛି ପ୍ରବଳ ଶୀତର ଲହରୀ । ଶୀତ ଆହୁରି ବଢିବ । ଥଣ୍ଡା ସାଙ୍ଗକୁ ଅନେକ ସ୍ଥାନରେ କଲବଲ କରୁଛି କୁହୁଡ଼ି । ଗତକାଲି ଦିନ ୧୦ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଘନ କୁହୁଡ଼ି ଲାଗି ରହିଥିବାର ଦୃଶ୍ୟମାନ ହୋଇଥିଲା। ଫଳରେ ଜନଜୀବନ ଓ ଯାତାୟାତରେ ଅନେକ ସମସ୍ୟା ଉପୁଜୁଛି । ଆସନ୍ତା ପାଞ୍ଚ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ କୁହୁଡ଼ି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆଜି ପାଇଁ ସୁନ୍ଦରଗଡ଼, କଳାହାଣ୍ଡି, ଖୋର୍ଦ୍ଧା, ଢେଙ୍କାନାଳ ଓ କୋରାପୁଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଆସନ୍ତାକାଲି ପାଇଁ ମଧ୍ୟ ଏହି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ଅନ୍ୟ ଜିଲ୍ଲା ଗୁଡ଼ିକରେ ମଧ୍ୟ କୁହୁଡ଼ି ହେବ । ତେବେ ଏହି ଜିଲ୍ଲା ଗୁଡ଼ିକରେ ଘନ କୁହୁଡ଼ି ହେବ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କୁହୁଡ଼ି ପାଇଁ ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ ଦିଆଯାଇଛି ।
ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି। ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ପ୍ରକ୍ରିୟା ସକ୍ରିୟ ନାହିଁ। ଘନ କୁହୁଡ଼ି ପାଇଁ କୋରାପୁଟ, କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା, ସୁନ୍ଦରଗଡ ଏହି ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଟ୍ୱିନ ସିଟି ସହିତ ଗତକାଲି ପୁରୀରେ ମଧ୍ୟ ଘନ କୁହୁଡି ଦେଖାଯାଇଥିଲା । ଏପରିକି କୁହୁଡି ଯୋଗୁଁ ଶ୍ରୀମନ୍ଦିରର ଉପରିଭାଗ ନୀଳଚକ୍ର ସହିତ ବାନା ମଧ୍ୟ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯିବା ପରି ଜଣାପଡୁଥିଲା । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟର ୮ଟି ସ୍ଥାନରେ ୧୦ ଡ଼ିଗ୍ରୀ ତଳକୁ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ଗତ ୨୪ ଘଣ୍ଟାରେ ୨୦ରୁ ଊର୍ଦ୍ଧ୍ବ ସହରରେ ଘନ କୁହୁଡି ପରିଲକ୍ଷିତ କରାଯାଇଥିଲା।



