ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ, ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଆଜି ରାତି ସୁଦ୍ଧା ବିଶାଖାପାଟନମ୍ ଓ ଗୋପାଳପୁର ମଧ୍ୟରେ ଅତିକ୍ରମ କରିବାର ସମ୍ଭାବନା , ଗଞ୍ଜାମ ଏବଂ କଳାହାଣ୍ଡିରେ ସ୍କୁଲ-କଲେଜ ବନ୍ଦ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ,  ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ
Samaya Live News Picture
Published On

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଟି ଏବେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ (Deep Depression) ରୂପ ନେଇଛି । ଭାରତୀୟ ପାଣିପାଗ ବିଭାଗ (IMD) ର ସୂଚନା ଅନୁଯାୟୀ, ଏହି ସିଷ୍ଟମଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୭ କି.ମି ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ ୨୩ ସେପ୍ଟେମ୍ବର ବିଳମ୍ବିତ ରାତି ଏବଂ ୨୪ ତାରିଖ ଭୋର ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି । ​ଏହା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । 

​ଅବପାତ ସ୍ଥଳଭାଗ ଛୁଇଁବା ସମୟରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୫୫ ରୁ ୬୫ କିମି ରହିବା ସହ ସର୍ବାଧିକ ୭୫ କିମି ପର୍ଯ୍ୟନ୍ତ ଝଟକା ପବନ ବହିବାର ଆଶଙ୍କା ରହିଛି । ଗଭୀର ଅବପାତ ଯୋଗୁଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି  । 

ପାଣିପାଗ ବିଭାଗ ସୂଚନା ଅନୁଯାୟୀ,୨୩ ଏବଂ ୨୪ରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବ । ଏହା ସହ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ବିଚ୍ଛିନ୍ନ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ୨୫ରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ୨୬ରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୩ ଓ ୨୪ ତାରିଖ ପାଇଁ କୋରାପୁଟ, ଗଜପତି ଏବଂ ଗଞ୍ଜାମ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୨୪ ଓ ୨୫ ତାରିଖ ପାଇଁ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏହି ସମୟରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିଥିବାରୁ ଆସନ୍ତାକାଲି ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ପୁରୀ ଏବଂ ଗୋପାଳପୁର ସମୁଦ୍ରକୂଳରେ ଲାଲ ପତାକା ଲଗାଯାଇ ପର୍ଯ୍ୟଟକମାନଙ୍କୁ ସମୁଦ୍ରରେ ଗାଧୋଇବା ଉପରେ କଟକଣା ଲଗାଯାଇଛି । ​ଗଭୀର ଅବପାତ ପ୍ରଭାବରେ ସମଗ୍ର ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ୩୩ଟି ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀ ଦଳକୁ ମୁତୟନ କରାଯାଇଛି । ଋଷିକୁଲ୍ୟା ଏବଂ ବଂଶଧାରା ନଦୀର ଜଳସ୍ତର ଏବଂ ଜଳଭଣ୍ଡାରଗୁଡ଼ିକ ଉପରେ ଜଳସମ୍ପଦ ବିଭାଗ ନିରନ୍ତର ନଜର ରଖିଛି ।

 

Tags: