ସ୍କ୍ରବ ଟାଇଫସ ଜନିତ ମୃତ୍ୟୁ ସମ୍ପୂର୍ଣ୍ଣ ମିଛ - ସିଡିଏମଓ

ସ୍କ୍ରବ ଟାଇଫସ ଜନିତ ମୃତ୍ୟୁ ସମ୍ପୂର୍ଣ୍ଣ ମିଛ - ସିଡିଏମଓ
Samaya Live News Picture
Published On

ଭୁବନେଶ୍ୱର : ପାଳଲହଡାରେ ସ୍କ୍ରବ ଟାଇଫସ ଜନିତ ମୃତ୍ୟୁ ଘଟଣା ସମ୍ପୂର୍ଣ୍ଣ ମିଛ । ଏନେଇ ସୂଚନା ଦେଇଛନ୍ତି ଅନୁଗୋଳ ସିଡିପିଓ ଡା. ମଦନ ମୋହନ ପ୍ରଧାନ । ସେ କହିଛନ୍ତି, ଏଲିଶା ଟେଷ୍ଟ ନହେବା ଯାଏଁ ରୋଗ ସମ୍ପର୍କରେ ଜଣା ପଡିବ ନାହିଁ । ମୃତକ ୩ ଜଣ ଅନ୍ୟ ରୋଗରେ ପୀଡିତ ଥିଲେ । ପୂର୍ବରୁ ବ୍ଲଡ ପ୍ରେସର, ଡାଇବେଟିସ ଓ କ୍ରୋନିକ କିଡନୀ ରୋଗରେ ଆକ୍ରାନ୍ତ ଥିଲେ । ତେଣୁ ସେମାନଙ୍କର ମୃତ୍ୟୁ ସ୍କ୍ରବ ଟାଇଫସ ଯୋଗୁଁ ହୋଇଥିବା କହି ଲୋକଙ୍କୁ ଭୟଭୀତ କରାନଯାଉ । 

ଘରୋଇ ମେଡିକାଲ ଟେଷ୍ଟ ରିପୋର୍ଟ ଗ୍ରହଣୀୟ ନୁହେଁ । ବର୍ତ୍ତମାନ ସୁଦ୍ଧା ପାଲଲହଡ଼ାରେ ଗୋଟିଏ ହିଁ ସ୍କ୍ରବ ଟାଇଫସ ପଜିଟିଭ ମାମଲା ସ୍ପଷ୍ଟ ହୋଇଛି, ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସ୍କ୍ରବ ଟାଇଫସ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ନେଇ ଯାହା କୁହାଯାଉଛି, ତାହା ଘରୋଇ ଡାକ୍ତରଖାନା ଓ କ୍ଲିନିକରେ ଟେଷ୍ଟ ହୋଇଛି, ଯାହାକୁ ସରକାର ଗ୍ରହଣ କରୁନାହାନ୍ତି  । ଘରୋଇ କ୍ଲିନିକ ଗୁଡିକରେ ସ୍କ୍ରବ ଟାଇଫସ  ଟେଷ୍ଟ ବାରଣ କରାଯାଇଛି । ନିୟମ ନମାନିଲେ ସମ୍ପୃକ୍ତ ମେଡିକାଲ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ।  

 ଜିଲ୍ଲାରେ ଯେଉଁଠୁ ବି ସନ୍ଦିଗ୍ଧ ମାମଲା ନେଇ ଖବର ଆସୁଛି, ସେଠାକୁ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପଠାଯାଉଛି । ରାପିଡ ଟେଷ୍ଟ କିଟ୍ କୁ ସରକାର ଗ୍ରହଣ କରୁନାହାନ୍ତି। ଏଲିସା ଟେଷ୍ଟ ରିପୋର୍ଟ ହିଁ ସ୍କ୍ରବ ଟାଇଫସକୁ ସୁନିଶ୍ଚିତ କରିଥାଏ । ତେଣୁ ଘରୋଇ ଡାକ୍ତରଖାନାଙ୍କୁ ନିର୍ଦ୍ଦେଶ ଦିଆଯିବ, ସେମାନଙ୍କ ରିପୋର୍ଟ ସ୍କ୍ରବ ଟାଇଫସ ନେଇ ପଜିଟିଭ ଆସିଲେ, ସେମାନେ ଏଲିସା ଟେଷ୍ଟ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନମୁନା ପଠାନ୍ତୁ । 

ସେପଟେ, ପାଳଲହଡ଼ା ବ୍ଲକ୍‌ ରୋହିଲା ପଞ୍ଚାୟତର ମଗରମୁହାଣ ଗ୍ରାମରେ ଦୁଇଜଣ ମହିଳାଙ୍କ ରକ୍ତ ନମୁନା ସ୍କ୍ରବ୍ ଟାଇଫସ୍ ପଜିଟିଭ୍ ଆସିଥିବା ଜଣାପଡ଼ିଛି । ସେମାନେ ହେଲେ ଭାନୁମତୀ ନାଏକ ଓ ଲକ୍ଷ୍ମୀ ଧୀର । ରକ୍ତ ନମୁନା ପଜିଟିଭ୍ ଆସିବା ପରେ ଉଭୟ ଘରୋଇ ହସ୍ପିଟାଲ ଓ ସରକାରୀ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି । ବର୍ତ୍ତମାନ ଉଭୟ ନିଜ ଗାଁରେ ରହି ଚିକିତ୍ସାଧୀନ ଥିବା ସୂଚନା ମିଳିଛି ।

Tags: