ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି
ଦଶପଲ୍ଲା : ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି । ଦଶପଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ କୋରଡ଼ା ଗାଁ ରେ ବାଣ ଭିଡୁଥିବାବେଳେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ୫ଜଣ ଗୁରୁତର ଆହତ ହୋଇଥିଲେ । ଆହତମାନଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ୱର ଏମ୍ସ ଏବଂ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ ୩ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ୧୪ ବର୍ଷର ନାବାଳକ ଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ଏମ୍ସରେ ଆଉ ୨ଜଣ ଚିକିତ୍ସାଧୀନ ଅଛନ୍ତି । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଆଜି କୋରଡ଼ା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସୂଚନାନୁସାରେ, ଗତ ଏପ୍ରିଲ ୩ତାରିଖରେ ଦଶପଲ୍ଲା ନୂଆ ଗାଁ ଥାନା କୋରଡ଼ା ଗାଁ ରେ ବାଣ ତିଆରି ବେଳେ ଅତି ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ନାବାଳକ ସମେତ ୫ ଜଣ ଗୁରୁତର ହୋଇଥିଲେ । ଗୁରୁତର ହୋଇଥିବା ୬ ଜଣ ହେଲେ ବାଣ କାରାଖାନା ମାଲିକ ହାଡିବନ୍ଧୁ ସେଠୀ, ହାଡିବନ୍ଧୁଙ୍କ ପୁଅ ନବ ସେଠୀ, କୋରଡା ଅଞ୍ଚଳର ଶ୍ରମିକ ନିରଞ୍ଜନ ନାହାକ, ମୀନଗାଡିଆ ଅଞ୍ଚଳର ଶ୍ରମିକ ବାପୁନି ନାହାକ, ମନୋଜ ନାୟକ ଓ ଗଞ୍ଜାମ ଅଞ୍ଚଳର ନାବାଳକ ଅମିତ ସେଠୀ । ଏପ୍ରିଲ ୭ ତାରିଖରେ ଦଶପଲ୍ଲାରେ ହେବାକୁ ଥିବା ଲଙ୍କାପୋଡି ଉତ୍ସବ ପାଇଁ ବାଣ ପ୍ରସ୍ତୁତି ଚାଲିଥିବା ଅଘଟଣ ଘଟିଥିଲା ।



