ବୃଦ୍ଧି ହୋଇପାରେ ଅପମୃତ୍ୟୁ ଜନିତ ସହାୟତା ରାଶି
ଓଡ଼ିଶାର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅନୁଯାୟୀ, ରାଜ୍ୟ ସରକାର ସାପ କାମୁଡ଼ା, ବଜ୍ରପାତ ଓ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପାଇଁ ଥିବା ଅନୁକମ୍ପାମୂଳକ ସହାୟତା ରାଶି ବଢ଼ାଇବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି।
ଭୁବନେଶ୍ବର: ଅପମୃତ୍ୟୁ ଜନିତ ସହାୟତା ରାଶି ବଢାଇବା ପାଇଁ ଦାବି I ସାପ କାମୁଡ଼ା, ବଜ୍ରପାତ ଓ ପାଣିରେ ବୁଡ଼ି ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଅନୁକମ୍ପାମୂଳକ ସହାୟତା ରାଶି ବଢ଼ିପାରେ । ଏ ନେଇ କେନ୍ଦ୍ରକୁ ସୁପାରିଶ କରିଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ସାପକାମୁଡ଼ା, ବଜ୍ରପାତ ଓ ପାଣିରେ ବୁଡି ମୃତ୍ୟୁରେ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳୁଛି । ଏହା କିନ୍ତୁ ପର୍ଯ୍ୟାପ୍ତ ହେଉ ନାହିଁ । ତେଣୁ ଏହାକୁ ବୃଦ୍ଧି କରି ୧୦ ଲକ୍ଷ ଟଙ୍କା କରିବାକୁ କେନ୍ଦ୍ରକୁ ସୁପାରିଶ କରାଯାଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି , କ୍ଷତିପୂରଣ ରାଶି ବୃଦ୍ଧି ପ୍ରସ୍ତାବକୁ ରାଜ୍ୟ ସରକାର ସମୀକ୍ଷା କରୁଛନ୍ତି। ଏହି ରାଶି ବୃଦ୍ଧି ପାଇଁ ଓଡ଼ିଶା ସରକାର ପୂର୍ବରୁ କେନ୍ଦ୍ରକୁ ଚିଠି ଲେଖି ସୁପାରିଶ କରିଥିଲେ । ବର୍ତ୍ତମାନ କ୍ଷତିପୂରଣ ରାଶି ୪ ଲକ୍ଷ ମିଳୁଥିବାବେଳେ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସୁପାରିସ୍ ହୋଇଛି।
ଏ ନେଇ ସୁପ୍ରିମକୋର୍ଟଙ୍କ ଗାଇଡ୍ ଲାଇନ୍ ଆସିଥିବା ସୂଚନା ମିଳିଛି। ସୁପ୍ରିମକୋର୍ଟ ଏକ ନିର୍ଦ୍ଦିଷ୍ଟ ମାମଲାରେ ନିର୍ଦେଶ ଦେଇଥିବା କହିଛନ୍ତି ସୁରେଶ ପୂଜାରୀ। ବଜ୍ରାଘାତ ଏବଂ ପାଣିରେ ବୁଡି ମୃତ୍ୟୁ ହେଲେ ମଧ୍ୟ ସମାନ କ୍ଷତିପୂରଣ ମିଳିବ। ଥରେ ସଂଶୋଧିତ କ୍ଷତିପୂରଣ ଢାଞ୍ଚା ଅନୁମୋଦନ ହେବା ପରେ ଏହା ସାରା ଦେଶରେ ଲାଗୁ ହେବ।


