ମୟୂରଭଞ୍ଜର ଝିଅ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଆସନରେ ଅଧିଷ୍ଠିତ - ପ୍ରଧାନମନ୍ତ୍ରୀ

ମୟୂରଭଞ୍ଜର ଝିଅ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଆସନରେ ଅଧିଷ୍ଠିତ - ପ୍ରଧାନମନ୍ତ୍ରୀ
Samaya Live News Picture
Published On

ରାଇରଙ୍ଗପୁର : ଓଡ଼ିଶା ପାଇଁ ଆଜି ସ୍ମରଣୀୟ ଦିନ । ଗୋଟିଏ ସ୍ଥାନରେ ଗୋଟିଏ ମଞ୍ଚରେ ଏକାଠି ହୋଇଛନ୍ତି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି । ପ୍ରଥମ ଥର ମୟୂରଭଞ୍ଜରେ ଏକାଠି ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ । ଗତକାଲି ନିଜ ଜନ୍ମମାଟିରେ ପହଞ୍ଚିଥିଲେ ମହାମହିମ । ଆଜି ଜନ୍ମମାଟିରେ ଜନ୍ମଦିନ ପାଳିବା ସହିତ କୁନି କୁନି ପିଲାଙ୍କୁ ଚକୋଲଟ୍ ବାଣ୍ଟିଥିଲେ ରାଷ୍ଟ୍ରପତି । ଆଜି ପୂର୍ବାହ୍ନରେ ମୟୂରଭଞ୍ଜର ପାହାଡପୁରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମମାଟିରେ ଜନ୍ମଦିନର ଶୁଭେଚ୍ଛ ଜଣାଇ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଆରେ ଅଭିଭାଷଣ ଆରମ୍ଭ ସହ ମୋଦି କହିଛନ୍ତି, ଓଡ଼ିଶାର ଗଣପର୍ବ ରଜ ଏବେଏବେ ସରିଛି । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଛି । ରାଜ୍ୟ ସରକାର ୨ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି । ଓଡ଼ିଶାବାସୀଙ୍କ ଆପଣା ପଣ ପାଇଁ ବାରମ୍ବାର ଆସୁଛି । ଓଡ଼ିଶାର ଝିଅ ଏବେ ଦେଶ ପାଇଁ ଗର୍ବ। ମୟୂରଭଞ୍ଜ ପାଇଁ ନୁହେଁ ସେ ଓଡ଼ିଶା ପାଇଁ ଗର୍ବ। ମୟୂରଭଞ୍ଜର ଝିଅ ଆଜି ଦେଶ ସର୍ବୋଚ୍ଚ ସାମ୍ବିଧାନିକ ଆସନରେ ଅଧିଷ୍ଠିତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ୬୮ତମ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଛନ୍ତି । 

ରାଷ୍ଟ୍ରପତିଙ୍କ ନିଜ ଗାଁ ପାହାଡ଼ପୁର ଗସ୍ତ କରି ସେଠାରେ ସେ ପ୍ରତିଷ୍ଠା କରିଥିବା ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବାର ସୁଯୋଗ ମିଳିଥିବାରୁ ସେ ବେଶ୍ ଆହ୍ଲାଦିତ ବୋଲି କହିଛନ୍ତି। ପିଲାମାନେ ରାଷ୍ଟ୍ରପତିଙ୍କୁ ନିଜର ମାଆ ବୋଲି ସମ୍ବୋଧନ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ପାହାଡ଼ପୁର ଗ୍ରାମକୁ ଏକ ସମ୍ପୂର୍ଣ୍ଣ ‘ସୂର୍ଯ୍ୟଗ୍ରାମ’ (ସୌରଶକ୍ତି ସମ୍ପନ୍ନ ଗ୍ରାମ) ଭାବେ ଗଢ଼ିତୋଳିବାକୁ ପ୍ରତିଶ୍ରୁତି ଦେଇଛନ୍ତି, ଯାହାଦ୍ୱାରା ସ୍ଥାନୀୟ ଲୋକେ ମାଗଣା ବିଦ୍ୟୁତ ସେବା ପାଇପାରିବେ।

ସେହିପରି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି ,କୌଣସି ଜାତି ନିଜ ସଂସ୍କୃତିର ମୌଳିକତାରୁ ଭୂଲି ଗଲେ ନିଜର ଅସ୍ତିତ୍ୱ ହରାଇ ବସିବ । ଯେକୌଣସି ଜାତି ଓ ସମାଜ ଆଧୁନିକତାର ସହିତ ନିଜର ସାଂସ୍କୃତିକ ମୌଳିକତାକୁ ବଞ୍ଚାଇ ରଖିଲେ ସମୃଦ୍ଧ ହୋଇପାରିବ । ରାଷ୍ଟ୍ରପତି କହିଛନ୍ତି, ମୁଁ ଯେଉଁଠି ବି ଥାଏ ନିଜ ଗାଁକୁ ଭୁଲି ନାହିଁ । ସବୁବେଳେ ନିଜ ଅଞ୍ଚଳ ପାଇଁ କିଛି କରିବାକୁ ଚେଷ୍ଟା ଜାରି ରଖିଛି ।
  

Tags: