ବୃଦ୍ଧ ଶ୍ଵଶୁରଙ୍କ ଉପରେ ଗରମ ପାଣି ଢାଳିଦେଲା ବୋହୂ
ପରଜଙ୍ଗ : ବୋହୂର ଅମାନବୀୟ କାଣ୍ଡ । ୮୦ବର୍ଷୀୟ ବୃଦ୍ଧ ଶ୍ବଶୁରଙ୍କ ଉପରେ ଗରମ ତେଲ ମିଶା ପାଣି ଢ଼ାଳିଦେଇଥିବା ଅଭିଯୋଗ ହୋଇଛି । ଫଳରେ ଶ୍ବଶୁର ଗୁରୁତର ଆହତ ହୋଇ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ପରଜଙ୍ଗ ଥାନା ନାଉପାଳ ଗାଁରେ ।
ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ଶ୍ୱଶୁର ଶ୍ରୀକାନ୍ତ ଭୁତିଆଙ୍କ ସହ ଘରେ ଥିବା ବିଧବା ବହୁ କୁସ୍ମିତା ଭୂତିଆଙ୍କର ଉଚ୍ଚବାଚ ହୋଇଥିଲା । ପରମୁହୂର୍ତ୍ତରେ ବୋହୁ କୁସ୍ମିତା ଗରମ ପାଣି ସହ ରିଫାଇନ ତେଲ ମିଶାଇ ଗ୍ୟାସ ରେ ଗରମ କରି ଶ୍ବଶୁର ଶ୍ରୀକାନ୍ତ ଭୂତିଆ (୮୦)ଙ୍କ ଉପରେ ଢାଳି ଦେଇଥିଲେ । ଫଳରେ ସେ ଗୁରୁତର ହୋଇପଡିଥିଲେ, ତାଙ୍କ ଦେହ ସାରା ଜଳିଯାଇଥିଲା । ପଡୋଶୀଙ୍କ ଠାରୁ ଖବର ପାଇ ଆମ୍ବୁଲାନ୍ସ ପହଞ୍ଚି ଶ୍ରୀକାନ୍ତଙ୍କୁ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରାଇଥିଲେ । ତାଙ୍କ ମୁହଁ ଓ ଛାତି ର ଅଧିକାଂଶ ଅଂଶ ପୋଡି ଯାଇଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ଣ୍ଣ ରହିଛି । ଫଳରେ ଡାକ୍ତର ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଛନ୍ତି । ଖବରପାଇ ପରଜଙ୍ଗ ଥାନା ଏଏସଆଇ ଜୋସେଫ୍ ପଟ୍ଟନାୟକ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।



