୧୫ ଦିନ ମଧ୍ୟରେ ଚିହ୍ନଟ ହେବ ବିପଦ ପୂର୍ଣ୍ଣ କୋଠା - ମନ୍ତ୍ରୀ
ଭୁବନେଶ୍ୱର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବଡ଼ ନିଷ୍ପତ୍ତି । ୧୫ଦିନ ମଧ୍ୟରେ ଚିହ୍ନଟ ହେବ ଟ୍ୱିନ ସିଟିରେ ଥିବା ଅସୁରକ୍ଷିତ କୋଠା । ନୂଆଦିଲ୍ଲୀରେ କୋଠା ଭୁଶୁଡ଼ି ଛାତ୍ରଙ୍କ ମୃତ୍ୟୁ ପରେ ଏବେ ତତ୍ପର ହୋଇ ଉଠିଛନ୍ତି ଓଡ଼ିଶା ସରକାର । ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ନାଗରିକଙ୍କ ଧନ ଜୀବନର ସୁରକ୍ଷାକୁ ଦୃଷ୍ଟିରେ ରଖି ବିପଦପୂର୍ଣ୍ଣ ଅବସ୍ଥାରେ ଥିବା କୋଠା ଗୁଡିକୁ ଯଥାଶୀଘ୍ର ଚିହ୍ନଟ ପାଇଁ ଏକ ସ୍ୱତନ୍ତ୍ର ୧୫ ଦିନିଆ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ।
ମନ୍ତ୍ରୀଙ୍କ ସୂଚନାନୁସାରେ, ଭୁବନେଶ୍ୱର ସମେତ ପୁରୀ ଏବଂ କଟକ ଭଳି ପୁରାତନ ସହର ଗୁଡିକରେ ଥିବା ବହୁ ପୁରାତନ ବିପଦସଙ୍କୁଳ ସରକାରୀ ଓ ଘରୋଇ କୋଠାଗୁଡ଼ିକୁ ଚିହ୍ନଟ କରିବା ପାଇଁ ବିଶେଷ ତଦନ୍ତକାରୀ ଦଳ ଗଠନ କରାଯାଇଛି । ଗଠିତ ଯାଞ୍ଚକାରୀ ଦଳ ସନ୍ଦେହଜନକ କୋଠାଗୁଡ଼ିକର ନିର୍ମାଣ ଶୈଳୀ, ଗଠନାତ୍ମକ ସ୍ଥିତି (Structural Stability) ଓ ସୁରକ୍ଷାର ପୁଙ୍ଖାନୁପୁଙ୍ଖ ଆକଳନ କରିବେ।
ନିର୍ଦ୍ଧାରିତ ୧୫ ଦିନ ମଧ୍ୟରେ ତଦନ୍ତ ଦଳ ରିପୋର୍ଟ ଦାଖଲ କରିବେ। ଯାଞ୍ଚ ପରେ ଯେଉଁ କୋଠାଗୁଡ଼ିକ ଅସୁରକ୍ଷିତ ବୋଲି ପ୍ରମାଣିତ ହେବ, ସେଗୁଡ଼ିକୁ ଭାଙ୍ଗିବା ପାଇଁ ଆଇନାନୁଯାୟୀ ନୋଟିସ୍ ଜାରି କରାଯିବ। ଅନ୍ୟ ବିଭାଗର ସରକାରୀ କୋଠା ସେପରି ଥିଲେ ସମ୍ପୃକ୍ତ ବିଭାଗକୁ ଅବଗତ କରାଯିବ । ବେସରକାରୀ ହେଲେ ମଧ୍ୟ ସେମାନଙ୍କୁ ନୋଟିସ କରାଯିବ । ତେବେ ଯେଉଁ ଅସୁରକ୍ଷିତ କୋଠା ଆମ ବିଭାଗ ଅଧୀନରେ ଆସିବ, ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଯଦି ସେଗୁଡ଼ିକ ଅନ୍ୟ ବିଭାଗର ତେବେ ଆମେ ସେମାନଙ୍କ ସହିତ ସମନ୍ୱୟ ରଖିବୁ । କୌଣସି ବିପଦପୂର୍ଣ୍ଣ ନିର୍ମାଣକୁ ଅଣଦେଖା କରାଯିବ ନାହିଁ ଏବଂ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଅସୁରକ୍ଷିତ ନିର୍ମାଣ ହଟାଇ ଓଡ଼ିଶାର ସହରଗୁଡ଼ିକୁ ନିରାପଦ କରାଯିବ, ବୋଲି ମନ୍ତ୍ରୀ ଡଃ ମହାପାତ୍ର ସ୍ପଷ୍ଟ କରିଛନ୍ତି । ଏପରିକି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନଙ୍କୁ ଜଣାଇବୁ ବୋଲି ସେ କହିଛନ୍ତି ।




