ଭଙ୍ଗାଯିବ ବିପଦ ସଂଙ୍କୁଳ କୋଠା - ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ୱର : କଟକରେ ଭଙ୍ଗା ହେବ ବିପଦସଙ୍କୁଳ କୋଠା । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି,କଟକରେ ଥିବା ସମସ୍ତ ବିପଦ ସଙ୍କୁଳ କୋଠାକୁ ଚିହ୍ନଟ କରାଯାଇ ଖୁବଶୀଘ୍ର ଭଙ୍ଗାଯିବ । କୋଠାଗୁଡିକୁ ଚିହ୍ନଟ କରିବାକୁ ଏକ ବିଶେଷ କମିଟି ଗଠନ କରାଯାଇଛି । ବର୍ତ୍ତମାନ କମିଟିର ସଦସ୍ୟମାନେ ୱାର୍ଡରୁ ୱାର୍ଡ ବୁଲି ସର୍ଭେ କରୁଛନ୍ତି । ସର୍ଭେ କାମ ଶେଷ ହେଲେ ଚିହ୍ନଟ କରାଯାଇଥିବା କୋଠାଗୁଡିକର ମାଲିକମାନଙ୍କୁ ପ୍ରଥମେ ନୋଟିସ ଦେଇ ତା ପରେ ଭଙ୍ଗାଯିବ । କିଛିଦିନ ତଳେ କଟକରେ ଏକ ପୁରୁଣା କୋଠା ଭାଙ୍ଗି କିଛି ଲୋକଙ୍କ ମୃତ୍ୟୁ ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଥିଲା।
ସୂଚନାନୁସାରେ,ନଭେମ୍ବର ୮ ତାରିଖରେ କଟକ ମଣିସାହୁ ଛକ ହାଡିବନ୍ଧୁ ହାଇସ୍କୁଲ ନିକଟରେ ଏକ ପୁରୁଣା କୋଠା ଭାଙ୍ଗିଯିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାସହ ଜଣେ ମହିଳା ଓ ଜଣେ ଶିଶୁ ଗୁରୁତର ହୋଇଥିଲେ । ଘଟଣା ସମ୍ପର୍କରେ ଖବରପାଇ ବକ୍ସିବଜାର ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଚାପି ହୋଇଯାଇଥିବା ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଉଭୟ ପରିବାରର ୬ ଜଣ ଘର ବାହାରେ ଥିବାରୁ ସେମାନଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ହୋଇଥିଲା । ତେବେ ଅଘଟଣ ଘଟିଥିବା ଏ ଆପାର୍ଟମେଣ୍ଟର ବିଲ୍ଡିଂ ଆପ୍ରୁଭାଲ୍ ନଥିଲା। ବେଆଇନ ଭାବେ କରାଯାଇଥିଲା ୬ ମହଲା କୋଠା । ତା ଛଡ଼ା ଆପାର୍ଟମେଣ୍ଟର ମାଲିକାନାକୁ ନେଇ ବି ବିବାଦ ଲାଗିରହିଛି । ସହରରେ ୨୨୧ଟି ବିପଦସଙ୍କୁଳ କୋଠା ଥିବା ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲା ପ୍ରଶାସନ। ଏବେ ଗୃହରେ ସେସବୁ ବିପଦସଙ୍କୁଳ କୋଠା ଭଙ୍ଗାଯିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।


