ଉତ୍କେଲା ବିମାନବନ୍ଦରରୁ ଭୁବନେଶ୍ଵରକୁ ପ୍ରତିଦିନ ହେବ ବିମାନ ସେବା

ଉତ୍କେଲା ବିମାନବନ୍ଦରରୁ ଭୁବନେଶ୍ଵରକୁ ପ୍ରତିଦିନ ହେବ ବିମାନ ସେବା
Samaya Live News Picture
Published On

କଳାହାଣ୍ଡି : ପଶ୍ଚିମଓଡିଶା ଏବଂ ରାଜଧାନୀ ମଧ୍ୟରେ ପ୍ରତିଦିନ ହେବ ବିମାନ ସେବା । କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନବନ୍ଦରରୁ ଭୁବନେଶ୍ଵରକୁ ଏଣିକି ସପ୍ତାହର ସବୁଦିନ ୨ଟି ବିମାନ ଉଡାଣ ଜାରି ରହିବ । ମେ'୨୫ ତାରିଖରୁ ଏହି ସେବା ଆରମ୍ଭ ହୋଇଛି ବୋଲି ଇଣ୍ଡିଆ ଏଆର ୱାନ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍କେଲା ଏବଂ ଭୁବନେଶ୍ୱର ମଧ୍ୟରେ ବିମାନ ଯାତ୍ରା ଅବଧି ପ୍ରାୟ ଏକ ଘଣ୍ଟା ୧୦ ମିନିଟ୍ ରହିବ , ଯାହା ଟିଟିଲାଗଡ଼ରୁ ଭୁବନେଶ୍ୱର ଟ୍ରେନରେ ପ୍ରାୟ ୧୨ ଘଣ୍ଟା ସମୟ ନେଇଥାଏ।

ପ୍ରଥମ ବିମାନ ଭୁବନେଶ୍ଵରରୁ ସକାଳ ୫ଟା ୫୦ ମିନିଟରେ ଛାଡ଼ି ଉତ୍କେଲା ବିମାନ ବନ୍ଦରରେ ସକାଳ ୭ ଟାରେ ପହଞ୍ଚିବ । ସେହି ସମାନ ବିମାନ ପୁଣି ଥରେ ଉତ୍କେଲାରୁ ସକାଳ ୭ଟା ୧୫ ମିନିଟରେ ଛାଡ଼ି ଭୁବନେଶ୍ବରରେ ୮ଟା ୧୫ ମିନିଟରେ ପହଞ୍ଚିବ । ସେହିଭଳି ଦ୍ବିତୀୟ ବିମାନ ଭୁବନେଶ୍ବରରୁ ସକାଳ ୧୧ଟା ୨୦ ମିନିଟରେ ଛାଡ଼ି ଉତ୍କେଲା ବନ୍ଦରରେ ଅପରାହ୍ନ ୧୨ଟା ୩୦ ମିନିଟରେ ପହଞ୍ଚିବ ।

ସେହି ବିମାନ ପୁଣିଥରେ ଉତ୍କେଲାରୁ ଅପରାହ୍ନ ୧୨ଟା ୪୫ ମିନିଟରେ ଛାଡ଼ି ଭୁବନେଶ୍ବରରେ ୧ଟା ୫୫ ମିନିଟରେରେ ପହଞ୍ଚିବ । ଏଥିପାଇଁ ଟିକଟ୍‌ର ମୂଲ୍ୟ ଜିଏସଟି ମିଶାଇ ବ୍ୟକ୍ତି ପିଛା ୩ ହଜାର ୨୮୭ ଟଙ୍କା ରହିଛି । 

ଏହା ପୂର୍ବରୁ ଉତ୍କେଲାରୁ ଭୁବନେଶ୍ବରକୁ ୬ ଦିନ ବିମାନ ଉଡ଼ାଣ ହେଉଥିଲା । ହେଲେ ବର୍ତ୍ତମାନ ସପ୍ତାହକୁ ସବୁ ଦିନ ବିମାନ ଉଡ଼ିବା ଫଳରେ ଯାତ୍ରୀମାନେ ସପ୍ତାହକୁ ୭ ଦିନ ବିମାନ ସେବାର ସୁବିଧା ପାଇବେ । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

Tags: