ବାତ୍ୟା ଅପଡେଟ , ଆଗକୁ ୩ଦିନ ପ୍ରବଳ ବର୍ଷା
୨୯ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ
ଭୁବନେଶ୍ୱର : ଅକ୍ଟୋବର ଶେଷ ବେଳକୁ ବଢ଼ିଲା ବାତ୍ୟା ଛନକା । ଆଶା ଆଶଙ୍କାରେ ରାଜ୍ୟବାସୀ ! ବାତ୍ୟାକୁ ନେଇ ପଶିଲା ଛନକା । ଓଡିଶା ପାଇଁ ବଢିଲାଣି ଚିନ୍ତା ! ଆଶା ଆଶଙ୍କାରେ ରାଜ୍ୟବାସୀ ! ଏହା ପ୍ରଭାବରେ ଆସନ୍ତା ୨୭ ରୁ ୨୯ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ ଅନୁସାରେ, ଓଡ଼ିଶା ଓ ପଡ଼ୋଶୀ ଆନ୍ଧ୍ର ସମେତ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି ।
ବିଭିନ୍ନ ଘରୋଇ ପାଣିପାଗ ସଂସ୍ଥାର ଆକଳନ ପରେ ଏବେ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ। ପରେ ଏହି ଲଘୁଚାପ କ୍ଷେତ୍ରଟି ଧିରେ ଧିରେ ଅଧିକ ଘନୀଭୂତ ହେବ। ଆଜି ସୁଦ୍ଧା ଅବପାତ ଓ ୨୫ ବେଳକୁ ଗଭୀର ଅବପାତର ରୂପ ନେବ । ୨୬ରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ବର୍ଷା ହୋଇ ୨୭ରୁ ବଢ଼ିବ କୋପ । ୨୭ ଓ ୨୮ରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ସ୍ଥାନେ ସ୍ଥାନେ ୨ ଶହ ମିଲିମିଟରରୁ ୩ ଶହ ମିମି ପର୍ଯ୍ୟନ୍ତ ଭୟାନକ ବର୍ଷା ହୋଇପାରେ । ୨୯ରେ ବି ଲଗାଣ ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଓଡ଼ିଶାରେ ୧୦୦ କିମିରୁ ଅଧିକ ବେଗରେ ବୋହିପାରେ ପବନ। ପାରାଦୀପ ସହ ଉପକୂଳ ଓଡ଼ିଶାରେ ୭୦ କିମି ବେଗରେ ପବନ ମାଡ଼ ହୋଇପାରେ । ତା ସାଙ୍ଗକୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ବାତ୍ୟା ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟା ହୋଇପାରେ। ଏହା ୨୮ ସକାଳେ କିମ୍ବା ଦିନବେଳା ଆନ୍ଧ୍ର ଉପକୂଳରେ ମାଡ଼ ହେବ। ତା'ପରେ ଦିଗ ବଦଳାଇ ଓଡ଼ିଶା ଭିତର ଦେଇ ଉପରକୁ ଉଠିପାରେ। ଏହା ପ୍ରଭାବରେ ଉପକୂଳ, ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଗଭୀର ପ୍ରଭାବ ପଡ଼ିପାରେ। ପ୍ରବଳ ବର୍ଷା କାରଣରୁ ଧାନ ଓ ରବି ଫସଲ ନଷ୍ଟ ହେବା ଆଶଙ୍କା ଚାଷୀଙ୍କୁ ଘାରିଛି । କେବଳ ସେତିକି ନୁହେଁ, ବିଭିନ୍ନ ନଦୀ ଫୁଲିଲେ ଦକ୍ଷିଣ ଓଡ଼ିଶାରେ ବନ୍ୟା ହେବାର ଆଶଙ୍କା ମଧ୍ୟ ରହିଛି। ୨୬ତାରିଖରେ ଉପକୂଳବର୍ତ୍ତୀ ଏବଂ ସଂଲଗ୍ନ ଜିଲ୍ଲାଯଥା- ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ମୟୂରଭଞ୍ଜର କିଛି ଅଂଶ, ନୟାଗଡ଼ , ଗଞ୍ଜାମ ଓ ଗଜପତିରେ 'ସତର୍କ' ରହିବାକୁ କୁହାଯାଇଛି ।
ସେହିପରି, ୨୭ତାରିଖରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାରେ ଅତି ପ୍ରବଳରୁ ଅତ୍ୟଧିକ ବର୍ଷା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ୨୮ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ଅତି ପ୍ରବଳରୁ ଅତ୍ୟଧିକ ବର୍ଷା ପାଇଁ ରେଡ୍ ଆଲର୍ଟ ରହିଛି।
ସେପଟେ, ସାମ୍ଭାବ୍ୟ ବାତ୍ୟା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ସତର୍କତା । ଛତ୍ରପୁର ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳରେ ମତ୍ସ୍ୟଜୀବୀଙ୍କୁ ସଚେତନ କରିଛି ପ୍ରଶାସନ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କଲା ପ୍ରଶାସନ । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ମଧ୍ୟକୁ ଯିବା ଉପରେ କଟକଣା ଲଗାଯାଇଛି । ଏହାସହ ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଆଜି ସୁଦ୍ଧା କୂଳକୁ ଫେରିଆସିବାକୁ କୁହାଯାଇଛି । ଏଥିସହ ଡଙ୍ଗା, ଜାଲ ଓ ଅନ୍ୟାନ୍ୟ ମତ୍ସ୍ୟଜୀବୀ ସାମଗ୍ରୀକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି ।




