ରାଜ୍ୟକୁ ପୁଣି ବାତ୍ୟା ଆଶଙ୍କା ! ୧୦ ତାରିଖବେଳକୁ ଚିତ୍ର ସ୍ପଷ୍ଟ ହେବ
ଭୁବନେଶ୍ୱର : ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା । ଜିଏଫଏସ୍ ପରେ ଇସିଏମଡବ୍ଲ୍ୟୁଏଫ୍ ମଧ୍ୟ ଲଘୁଚାପ ନେଇ ପୂର୍ବାନୁମାନ ଦେଖାଇଛି । ହେଲେ ବାତ୍ୟା ସମ୍ଭାବନାକୁ ନେଇ ବିଭିନ୍ନ ମଡେଲରେ ଦ୍ୱନ୍ଦ୍ୱ ରହିଛି । ଆରମ୍ଭରୁ ଏଯାଏ ଜିଏଫଏସ୍ ମଡେଲ୍ ବାତ୍ୟା ସମ୍ଭାବନା ଥିବା ଆକଳନ କରିଛି । ଏପରିକି ଏହା ଓଡ଼ିଶା ମୁହାଁ ହେବା ନେଇ ସମ୍ଭାବ୍ୟ ଚିତ୍ର ଦେଖାଇଛି । କିନ୍ତୁ ବର୍ତ୍ତମାନ ଯାଏଁ ଅନ୍ୟ କୌଣସି ମଡେଲ୍ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରି ନାହାନ୍ତି ।
ଜିଏଫଏସ୍ ମଡେଲ୍ ବୁଧବାର ସନ୍ଧ୍ୟାରେ ଦେଖାଇଥିବା ସମ୍ଭାବ୍ୟ ଚିତ୍ର ଅନୁସାରେ ଲଘୁଚାପ ସୃଷ୍ଟି ହେବା ପରେ ବାତ୍ୟା ରୂପ ନେଇ ଆସନ୍ତା ୧୫ ତାରିଖବେଳକୁ ଓଡ଼ିଶା ଉପକୂଳର ଅତି ନିକଟରେ ପହଞ୍ଚିପାରେ । ଦୀର୍ଘ ସମୟ ଧରି ଏହା ଓଡ଼ିଶା ଉପକୂଳ ଓ ପାଖ ଅଞ୍ଚଳ ଉପରେ ରହିବା ସମ୍ଭାବନା ଅଛି । ବିଭିନ୍ନ ମଡେଲକୁ ଅନୁଧ୍ୟାନ କରି ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉଭୟ ଜିଏଫଏସ୍ ଏବଂ ଇସିଏମଡବ୍ଲ୍ୟୁଏଫ ମଡେଲ ଏକମତ ଯେ ମେ’ ମାସମଧ୍ୟଭାଗରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ହୋଇପାରେ । ୧୧ରୁ ୧୩ ତାରିଖ ଭିତରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ହେବ। ୧୪-୧୫ ତାରିଖବେଳକୁ ଏହା ଲଘୁଚାପ ରୂପ ନେଇପାରେ ।
ପ୍ରଫେସର ପଶୁପାଳକ କହିଛନ୍ତି, ସମୁଦ୍ର ପୃଷ୍ଠର ତାପମାତ୍ରା ପୂର୍ବାପେକ୍ଷା ୧ ଡିଗ୍ରୀ ବଢ଼ି ୩୦- ୩୧ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି । ଏହା ବାତ୍ୟା ପାଇଁ ଅନୁକୂଳ ପରିବେଶ । ସେହିପରି ବାୟୁମଣ୍ଡଳର ତଳସ୍ତରରୁ ଉପର ସ୍ତରକୁ ପୂର୍ବରୁ ପବନର ଗତି ୪୬ କିମିରୁ ୫୫ କିମି ଥିଲା । ଏହାର ବେଗ ହ୍ରାସ ପାଇ ଘଣ୍ଟା ପ୍ରତି ୩୭ କିମି ରହିଛି । ଏହା କମିବା ଦ୍ୱାରା ବାତ୍ୟା ଘନୀଭୂତ ହେବାକୁ ଅନୁକୂଳ ହେବ । ଏମଜେଓ ସ୍ଥିତି ଫେଜ୍-୨ରୁ ବାହାରି ଫେଜ୍-୩ରେ ଅଧିକ ସକ୍ରିୟ ହେଉଛି । ଏହା ବଙ୍ଗୋପସାଗରରେ ଊଦ୍ଧ୍ୱର୍ ମୁଖୀ ପବନ ଏବଂ ମେଘମାଳା ସୃଷ୍ଟିରେ ସହାୟକ ହେବ । ଆସନ୍ତା ୨୪ରୁ ୪୮ ଘଣ୍ଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ । ୧୦ ତାରିଖବେଳକୁ ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଆଉ କେତେକ ବିଶେଷଜ୍ଞଙ୍କ କହିବାନୁସାରେ ଆସନ୍ତା ୮-୯ ତାରିଖରେ ଘୂର୍ଣ୍ଣିବଳୟ, ୧୧ରେ ଲଘୁଚାପ ଏବଂ ୧୫ ବେଳକୁ ବାତ୍ୟା ସମ୍ଭାବନା ଅଛି ।
ସେହିଭଳି ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ବିଭିନ୍ନ ମଡେଲ୍ ପକ୍ଷରୁ ସଙ୍କେତ ମିଳିଥିବାବେଳେ ଲଘୁଚାପର ତୀବ୍ରତା ଓ ଗତିପଥ ସ୍ପଷ୍ଟ କରାଯାଇ ନାହିଁ। ତେବେ ବର୍ତ୍ତମାନ କେନ୍ଦ୍ରୀୟ ଭାରତରେ ଏକ ଟ୍ରଫ୍ଲାଇନ୍ ରହିଛି, ଯାହା ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଛି। ୧୧ରେ ଟ୍ରଫ୍ଲାଇନ୍ ଦୁର୍ୱଳ ହେବା ପରେ ଲଘୁଚାପ କ୍ଷେତ୍ର ସ୍ପଷ୍ଟ ହେବ ବୋଲି ସୂଚନା ଦିଆଯାଇଛି।



