ଘୁର୍ଣ୍ଣିବଳୟ ସୃଷ୍ଟି, ୧୫ବେଳକୁ ଅବପାତ ସମ୍ଭାବନା
ଭୁବନେଶ୍ୱର : ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଏହା ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତା ୧୪ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ । ଫଳରେ ନଭେମ୍ବର ୧୫ ତାରିଖ ବେଳକୁ ବଙ୍ଗୋପସାଗରରେ ଏହା ଅବପାତ ରୂପ ନେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଆକାଶ ଆଂଶିକ ମେଘୁଆ ରହିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ରାତ୍ରି ତାପମାତ୍ରା ୨ ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି ।
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ନଭେମ୍ବର ୧୧ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ନଭେମ୍ବର ୧୪ରେ ସୁଦୃଶ୍ୟ ଲଘୁଚାପ ଏବଂ ନଭେମ୍ବର ୧୫ ତାରିଖ ବେଳକୁ ଅବପାତରେ ପରିଣତ ହୋଇପାରେ । ଏହି ସମ୍ଭାବ୍ୟ ଅବପାତର ଓଡ଼ିଶା ଉପରେ କୌଣସି ବଡ଼ ଧରଣର ପ୍ରଭାବ ପଡିବା ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଆସନ୍ତା ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ଏବଂ ପ୍ରବଳ ବର୍ଷାର କୌଣସି ସତର୍କ ସୂଚନା ନାହିଁ । ବିଦେଶୀ ପାଣିପାଗ ମଡେଲ୍ ବାତ୍ୟା ଆଡ଼କୁ ଇଙ୍ଗିତ କରୁଥିଲେ ମଧ୍ୟ ଭାରତୀୟ ପାଣିପାଗ ବିଭାଗ ବା ଆଇଏମଡି ଏନେଇ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ।




