ବଙ୍ଗୋପସାଗରରେ ଭୟଙ୍କର ରୂପ ନେଉଛି ବାତ୍ୟା ଅର୍ଣ୍ଣବ

ବଙ୍ଗୋପସାଗରରେ ଭୟଙ୍କର ରୂପ ନେଉଛି ବାତ୍ୟା ଅର୍ଣ୍ଣବ
Samaya Live News Picture
Published On

ସମୁଦ୍ର ଭିତରେ ବଢ଼ୁଛି ବାତ୍ୟାର ଶକ୍ତି, ଆଉ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବିପଦ । କେଉଁଠି ହେବ ଲ୍ୟାଣ୍ଡଫଲ୍? କେତେ ରହିବ ପବନର ବେଗ? ବାତ୍ୟାର ପ୍ରଭାବରେ କେଉଁ କେଉଁ ରାଜ୍ୟରେ ହେବ ବର୍ଷା? ଏସବୁକୁ ନେଇ ଏବେ ବଢ଼ିଛି ଚିନ୍ତା। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାତ୍ୟା ଅର୍ଣ୍ଣବ ଅତି ଭୀଷଣ ବାତ୍ୟାର ରୂପ ନେଇ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରୁଛି।
ଆସନ୍ତା ଅକ୍ଟୋବର ୨୮ ତାରିଖ ପୂର୍ବାହ୍ନରେ ଆନ୍ଧ୍ରପ୍ରଦେଶ ଓ ୟାନମ୍ ଉପକୂଳ ମଧ୍ୟରେ, ବାପଟଲା ଓ ବିଶାଖାପାଟଣା ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟାଟି ସ୍ଥଳଭାଗ ଅତିକ୍ରମ କରିବାର ଆଶଙ୍କା ରହିଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିପାରେ। ଝଟକା ପବନର ବେଗ ୧୪୦ କିଲୋମିଟର ପର୍ୟ୍ୟନ୍ତ ପହଞ୍ଚିପାରେ। ତେଣୁ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ବାତ୍ୟା ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ।
ରାଜଧାନୀ ଭୁବନେଶ୍ୱରକୁ ଛୁଇଁବ ବାତ୍ୟା ଅର୍ଣ୍ଣବର ପ୍ରଭାବ । ଆକାଶ ମେଘୁଆ, ଝିପିଝିପି ବର୍ଷା ସାଙ୍ଗକୁ ପବନର ପ୍ରଭାବ। ତେବେ ଆଗକୁ ବର୍ଷାର ପରିମାଣ ବଢ଼ିବ କି? କେତେ ମିଲିମିଟର ବର୍ଷା ହେବ ଭୁବନେଶ୍ୱରରେ?
ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଅକ୍ଟୋବର ୨୭ ତାରିଖରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷାର ପ୍ରଭାବ ବଢ଼ିପାରେ। ଅକ୍ଟୋବର ୨୮ ତାରିଖରେ ବର୍ଷାର ପ୍ରଭାବ ଅଧିକ ରହିବାର ଆଶଙ୍କା ରହିଛି। ଖୋର୍ଦ୍ଧା ଜିଲ୍ଲା ପାଇଁ ମଧ୍ୟ ପ୍ରବଳ ବର୍ଷା ନେଇ ସତର୍କତା ରହିଛି।
ସରକାରୀ କର୍ମଚାରୀଙ୍କ ଛୁଟି ଉପରେ ମଧ୍ୟ ଲାଗିଛି କଟକଣା। ଖୋର୍ଦ୍ଧା ଜିଲ୍ଲାରେ ଜାରି ହୋଇଛି ନୂଆ ନିର୍ଦ୍ଦେଶ। ତେବେ ବାତ୍ୟାକୁ ନେଇ ପ୍ରଶାସନର ପ୍ରସ୍ତୁତି କେତେ ଦୂର? କେଉଁ କେଉଁ ସ୍କୁଲ୍ ରହିବ ବନ୍ଦ? ଆଉ କଣ ରହିଛି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ? 
ବାତ୍ୟା ଆସିବା ପୂର୍ବରୁ ସତର୍କ ହେଲା ପ୍ରଶାସନ। ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବକୁ ନଜରରେ ରଖି ଆରମ୍ଭ ହୋଇଛି ପ୍ରସ୍ତୁତି। ପାଣିପାଗର ସମ୍ଭାବ୍ୟ ପରିବର୍ତ୍ତନ ଓ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ୍ ବନ୍ଦ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି। 
ଅନ୍ୟପଟେ ବାତ୍ୟାର ପ୍ରଭାବ ଓଡ଼ିଶାରେ ମଧ୍ୟ ଅନୁଭୂତ ହେଉଛି। ଭୁବନେଶ୍ୱର ସମେତ ପୁରୀ, ଗଞ୍ଜାମ, ଗଜପତି ଓ କୋରାପୁଟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। 
ବାତ୍ୟାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରେ ସତର୍କତା ଜାରି ରହିଛି। ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ଏବଂ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଉଛି।
ଆଉ ଏପଟେ ଜୀବନ ବଞ୍ଚାଇବାକୁ ଚାଲିଛି ଜୋରଦାର ପ୍ରସ୍ତୁତି। କେହି ରହିବେନି ବିପଦରେ, କାହାର ଯେମିତି ଜୀବନହାନି ନହୁଏ ସେଥିପାଇଁ ଆକ୍ସନ୍ ମୋଡ୍ରେ ରାଜ୍ୟ ସରକାର। ବାତ୍ୟା ଅର୍ଣ୍ଣବକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତା ବଢ଼ାଯାଇଥିବା ବେଳେ ଉଦ୍ଧାର, ରିଲିଫ୍ ଓ ଆଶ୍ରୟସ୍ଥଳୀ ପ୍ରସ୍ତୁତିକୁ ଦିଆଯାଇଛି ସର୍ବାଧିକ ଗୁରୁତ୍ୱ।
ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ, ୧୩୫ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ସହ ୧,୬୦୦ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଅର୍ଥାତ୍ ମୋଟ ୧,୭୩୫ଟି ଆଶ୍ରୟସ୍ଥଳୀକୁ ଜରୁରୀ ପରିସ୍ଥିତି ପାଇଁ ପ୍ରସ୍ତୁତ କରାଯାଇଛି। ଏଥିସହ ଉଦ୍ଧାର ଓ ରିଲିଫ୍ କାର୍ୟ୍ୟ ପାଇଁ ୩୦୨ଟି ଟିମ୍କୁ ପ୍ରସ୍ତୁତ ରଖାଯାଇଛି। ବିପଦପୂର୍ଣ୍ଣ ତଳିଆ ଅଞ୍ଚଳ ଓ କଚ୍ଚା ଘରେ ରହୁଥିବା ଲୋକଙ୍କୁ ଆବଶ୍ୟକ ପଡ଼ିଲେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ରହିଛି। 
ସେହିପରି ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି, ଶିଶୁ ଓ ଦିବ୍ୟାଙ୍ଗଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଆଶ୍ରୟସ୍ଥଳୀରେ ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲା ଓ ବ୍ଲକ୍ ସ୍ତରରେ ନିୟନ୍ତ୍ରଣ କକ୍ଷ ମଧ୍ୟ ସକ୍ରିୟ ରହିଛି।
ତେବେ ବାତ୍ୟାର ପ୍ରକୃତ ପ୍ରଭାବ କେତେ ଭୟଙ୍କର ହେବ, ତାହା ଲ୍ୟାଣ୍ଡଫଲ୍ ସମୟର ପାଣିପାଗ ପରିସ୍ଥିତି ଉପରେ ନିର୍ଭର କରିବ। ତେଣୁ ଆଗାମୀ ସମୟରେ ଓଗଊର ନୂଆ ବୁଲେଟିନ୍ ଓ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶ ଉପରେ ରହିବ ସମସ୍ତଙ୍କ ନଜର ।

Tags: