ବାତ୍ୟା ଆଲର୍ଟ ,୬ଟି ଜିଲ୍ଲାରେ ତିନି ଦିନ ପାଇଁ ସ୍କୁଲ ବନ୍ଦ
ଦୁଇ ଦିନ ପାଇଁ ବନ୍ଦ ରହିବ ଦାରିଙ୍ଗିବାଡ଼ି ଘାଟି
ଭୁବନେଶ୍ୱର : ପ୍ରବଳ ବର୍ଷା ଆଶଙ୍କାରେ ବାତ୍ୟା ପ୍ରଭାବିତ ୬ଟି ଜିଲ୍ଲାରେ ୩ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କନ୍ଧମାଳ ଜିଲ୍ଲାରେ ଆଜିଠାରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସେହିପରି ଖୋର୍ଦ୍ଧା, ନୟାଗଡ଼ ଓ କୋରାପୁଟ ଜିଲ୍ଲାରେ ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ।
ଅନ୍ୟପଟେ ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ୨୦ ତାରିଖ ଯାଏଁ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଘୋଷଣା ହୋଇଛି । ବାତ୍ୟା ଅକଭାନ୍ର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନ ହେବାର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ଯାତାୟାତ ସମୟରେ କୌଣସି ଅଘଟଣ ନଘଟିବା ପାଇଁ ପ୍ରଶାସନ ପକ୍ଷରୁ ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ।
ସେପଟେ, ବାତ୍ୟା ଅକଭାନ୍କୁ ନେଇ ଦୁଇ ଦିନ ପାଇଁ ବନ୍ଦ ରହିବ ଦାରିଙ୍ଗିବାଡ଼ି ଘାଟି । ଭୂସ୍ଖଳନ ଆଶଙ୍କା ଥିବାରୁ ଘାଟି ରାସ୍ତାରେ ସମସ୍ତ ପ୍ରକାର ଯାନବାହନ ଚଳାଚଳ ଉପରେ କଟକଣା ଲଗାଯାଇଛି । ବାତ୍ୟା ସମୟରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ମାଟି ଅତଡ଼ା ଧସିବା ସହ ବଡ଼ ବଡ଼ ଗଛ ଉପୁଡ଼ିବାର ଆଶଙ୍କା ରହିଛି । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ପଦକ୍ଷେପ ନେଇଛି ।
ଦାରିଙ୍ଗିବାଡ଼ି ଘାଟି ରାସ୍ତା ସଂକୀର୍ଣ୍ଣ ହୋଇଥିବାରୁ ଏଠାରେ ପୂର୍ବରୁ ଅନେକଥର ମାଟି ଅତଡ଼ା ଖସିବା ଘଟଣା ସାମ୍ନାକୁ ଆସିଛି । ଏପରିକି ମାଟି ଧସିବା ଯୋଗୁଁ ବଡ଼ ବଡ଼ ଟ୍ରକ୍ ଓ ବସ୍ ଦୁର୍ଘଟଣାର ଶିକାର ହୋଇଛନ୍ତି । ତେଣୁ ବାତ୍ୟା ସମୟରେ କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଘାଟିକୁ ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ପୂର୍ବରୁ ଗାଜଲବାଡ଼ି ଗାଁ ନିକଟରେ ମଧ୍ୟ ପୋଲିସ ପ୍ରଶାସନ ପକ୍ଷରୁ ଜାତୀୟ ରାଜପଥ NH-59କୁ ବନ୍ଦ କରାଯାଇଛି ।




