ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମୁରାସୁ' , ଆଗାମୀ ୬ଘଣ୍ଟାରେ ଅବପାତ

ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ମୁରାସୁ' , ଆଗାମୀ ୬ଘଣ୍ଟାରେ ଅବପାତ
Samaya Live News Picture
Published On

ଭୁବନେଶ୍ୱର : 'ଅର୍ଣ୍ଣବ' ଦାଉ ଯାଇନି, ପୁଣି ଆସୁଛି ଆଉ ଏକ ବାତ୍ୟା । ଅର୍ଣ୍ଣବ ଯନ୍ତ୍ରଣା ପରେ ପରେ ପୁଣି 'ମୁରାସୁ' ମାଡ଼ରେ ବେହାଲ ହେବ ଦକ୍ଷିଣ ଓଡ଼ିଶାର ସ୍ଥିତି । ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ରଟି ଅଧିକ ଘନୀଭୂତ ହେଉଛି । ଏହା ଆଗାମୀ ୬ ଘଣ୍ଟା ମଧ୍ୟରେ ଅବପାତ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଏହି ବାତ୍ୟା ସୃଷ୍ଟି ହେଲେ ଭାରତ ଏହାର ନାମ 'ମୁରାସୁ' ରଖିଛି  । ତାମିଲ ଭାଷାରେ ଏହାର ଅର୍ଥ 'ଢୋଲ' ବା 'ଯୁଦ୍ଧ ବାଦ୍ୟ'।  ଏହା ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ (କାକିନାଡ଼ା ଆଖପାଖରେ) ଅତିକ୍ରମ କରିପାରେ ବୋଲି ପୂର୍ବାନୁମାନ କରାଯାଇଛି । 

ରାଜ୍ୟ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନାନୁସାରେ,  ଆସନ୍ତା ୨ ରୁ ୬ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଓଡିଶାରେ ବର୍ଷା ହୋଇପାରେ  । ୨ ତାରିଖରେ ଦକ୍ଷିଣ ଓଡିଶାର କେତେକ ଜିଲାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ୪ ତାରିଖରେ ରାଜ୍ୟର ଅଧିକାଂଶ ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି, କୋରାପୁଟରେ ଅଧିକ ବର୍ଷିବାର ଆକଳନ କରାଯାଇଛି । ୨ ରେ ୪୦ରୁ ୫୦ କିମି ବେଗରେ ପବନ ବହିବ, ଝଟକା ପବନ ୬୦ କିମି । ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ପୁଣି ବର୍ଷିବ । ୪ ଓ ୫ ତାରିଖରେ ପବନର ବେଗ ୭୦ କିମି ହୋଇପାରେ । ପ୍ରଭାବରେ ମାଲକାନଗିରି, କୋରାପୁଟ, ରାୟଗଡ଼ାରେ ବର୍ଷା ହେବ। ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡିରେ ମଧ୍ୟ ବର୍ଷା ହେବ ।

 

Tags: