ବାତ୍ୟା ‘ଅର୍ଣ୍ଣବ’ , ୮ଟି ଜିଲ୍ଲାରୁ ପ୍ରାୟ ୪୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

 ବାତ୍ୟା ‘ଅର୍ଣ୍ଣବ’ , ୮ଟି ଜିଲ୍ଲାରୁ ପ୍ରାୟ ୪୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
Samaya Live News Picture
Published On

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟରେ ଜୋରଦାର ହୋଇଛି ପ୍ରସ୍ତୁତି । ବାତ୍ୟାର ମୁକାବିଲା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଇଛି । ୮ଟି ଜିଲ୍ଲାରେ ପ୍ରାୟ ୪୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ହୋଇଛି । ସେପଟେ ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୧୧ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ରହିଛି । ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ନେବା ଉପରେ ଗୁରୁତ୍ୱ ଦିଆଯାଉଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ।

ସେ କହିଛନ୍ତି, ସବୁଠାରୁ ଅଧିକ ନବରଙ୍ଗପୁର ଜିଲ୍ଲାରୁ ୧୧,୨୭୦ ଜଣ ଲୋକଙ୍କୁ ନିରାପଦ ସ୍ଥାନକୁ ନିଆଯାଇଛି । ସେହିପରି ଗଜପତିରୁ ୧୧,୦୦୦, ମାଲକାନଗିରିରୁ ୯,୮୫୦, ଗଞ୍ଜାମରୁ ୬,୫୦୦, କୋରାପୁଟରୁ ୫,୦୦୦ ଏବଂ ନୂଆପଡ଼ାରୁ ୧,୬୭୫ ଜଣଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସ୍ଥିତିକୁ ଦେଖି ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଅଣାଯିବ ।

ଜରୁରୀକାଳୀନ ସ୍ଥିତିର ମୁକାବିଲା ପାଇଁ ଗ୍ରାଉଣ୍ଡ ଜିରୋରେ ବ୍ୟାପକ ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ସମୁଦାୟ ୪୮ଟି ଓଡ୍ରାଫ୍, ୮ଟି ଏନଡିଆରଏଫ ଏବଂ ୨୨୫ଟି ଅଗ୍ନିଶମ ବାହିନୀ ଟିମ୍‌କୁ ବିଭିନ୍ନ ସମ୍ବେଦନଶୀଳ ଜିଲ୍ଲାରେ ମୁତୟନ କରାଯାଇଛି । ମଙ୍ଗଳବାର ସକାଳୁ ପାଗରେ ପରିବର୍ତ୍ତନ ହେବା ସହ ଗଞ୍ଜାମ, ପୁରୀ ଏବଂ ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳିଆ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇସାରିଛି। ସମୟ ବଢ଼ିବା ସହ ବର୍ଷା ଓ ପବନର ପ୍ରଭାବ ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।

ଅନ୍ୟପଟେ, ପାହାଡ଼ିଆ ଓ ପାର୍ବତ୍ୟ ଅଞ୍ଚଳଗୁଡ଼ିକରେ ବର୍ଷା ଯୋଗୁଁ ଭୂସ୍ଖଳନ  ସୃଷ୍ଟି ହେବାର ଆଶଙ୍କା ଥିବାରୁ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ରାପିଡ୍ ରେସପନ୍ସ ଟିମ୍‌କୁ ସମ୍ପୂର୍ଣ୍ଣ ଆଲର୍ଟ ରଖାଯାଇଛି। "ସବୁ ଜିଲ୍ଲାରେ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି । କୌଣସି ବି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଏସଆରସି ।

ସେପଟେ ଗତ ୬ ଘଣ୍ଟାରେ ଘଣ୍ଟାପ୍ରତି ୨୨ କି.ମି. ବେଗରେ ପ୍ରାୟ ପଶ୍ଚିମ ଦିଗରେ ଗତି କରିଛି ବାତ୍ୟା। ଏହା ବିଶାଖାପାଟଣାଠାରୁ ୨୬୦ କି.ମି. ଦକ୍ଷିଣ-ପୂର୍ବରେ, କାକିନାଡାଠାରୁ ୩୦୦ କି.ମି. ପୂର୍ବ-ଦକ୍ଷିଣପୂର୍ବରେ ଏବଂ ଓଡ଼ିଶାର ଗୋପାଳପୁରଠାରୁ ୩୮୦ କି.ମି. ଦକ୍ଷିଣରେ ରହିଛି ।

 

Tags: