ବଙ୍ଗୋପସାଗରରେ ପୁଣି ଆସୁଛି ବାତ୍ୟା 'ଅକଭାନ୍'

 ବଙ୍ଗୋପସାଗରରେ ପୁଣି ଆସୁଛି ବାତ୍ୟା 'ଅକଭାନ୍'
Samaya Live News Picture
Published On

ଭୁବନେଶ୍ୱର : ଅର୍ଣ୍ଣବ ଓ ମୁରାସୁ ପରେ ପୁଣି ଥରେ  ବଙ୍ଗୋପସାଗରରେ ଦାନ ବାନ୍ଧୁଛି ବାତ୍ୟା 'ଅକଭାନ୍' । ନଭେମ୍ବର ୧୪ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଆଜି ସଦୃଶ୍ୟ ଲଘୁଚାପ ରେ ପରିଣତ ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି (ନଭେମ୍ବର ୧୫ ସକାଳ) ସୁଦ୍ଧା ଏକ ଅବପାତରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ନଭେମ୍ବର ୧୬ ତାରିଖ ସନ୍ଧ୍ୟା ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି  ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (IMD)  ।

ବଙ୍ଗୋପସାଗରରେ ଗୋଟିଏ ପରେ ଗୋଟିଏ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ପାଣିପାଗ ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇଛି । ଗତ ମାସ ଶେଷଭାଗରେ ଅର୍ଣ୍ଣବ ଓ ମୁରାସୁ ଭଳି ଦୁଇଟି ଭୀଷଣ ସାମୁଦ୍ରିକ ଝଡ଼ ପରେ ଏବେ ଆଉ ଏକ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି ।

ଏହି ପୂର୍ବାନୁମାନ ସତ୍ୟ ହେଲେ ଚଳିତ ଉତ୍ତର-ପୂର୍ବ ମୌସୁମୀ ଋତୁରେ ଅଳ୍ପଦିନ ବ୍ୟବଧାନରେ ଏହା ତୃତୀୟ ବାତ୍ୟା ହେବ। ତେବେ ନୂଆ ପାଣିପାଗ ପ୍ରଣାଳୀ ନିଶ୍ଚିତ ଭାବେ ବାତ୍ୟାରେ ପରିଣତ ହେବ ବୋଲି ଏବେଠାରୁ କହିହେବ ନାହିଁ। ଏହାର ଗତିପଥ, ତୀବ୍ରତା ଓ ସ୍ଥଳଭାଗରେ ସମ୍ଭାବ୍ୟ ପ୍ରଭାବ ଆଗାମୀ ପାଣିପାଗ ପରିସ୍ଥିତି ଉପରେ ନିର୍ଭର କରିବ। ଗତିପଥ ଓ ତୀବ୍ରତା ଏଯାଏଁ ଅସ୍ପଷ୍ଟ। ତଥାପି ଅଧିକାଂଶ ମଡେଲର ଆକଳନ- ଏଥର ବି ବାତ୍ୟା ଆନ୍ଧ୍ରକୁ ଯାଇପାରେ। ସିଧା ମାଡ଼ ନ ହେଲେ ବି ସମ୍ଭାବ୍ୟ ବିପଦ ବଳୟରୁ ସମ୍ପୂର୍ଣ ମୁକ୍ତ ହୋଇନପାରେ ଓଡ଼ିଶା। ବିଶେଷ କରି ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଅଞ୍ଚଳ ପ୍ରଭାବିତ ହୋଇପାରେ । ଅଳ୍ପ ବର୍ଷାରେ କ୍ଷେତରେ ବଡ଼ କ୍ଷତି ହୋଇପାରେ। ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସ୍ଥିତି ଉପରେ ନଜର ରଖିବା ଲାଗି ଆସନ୍ତା ଦୁଇଦିନ ଏସଆରସିଙ୍କ କାର୍ଯ୍ୟାଳୟ ଖୋଲା ରହିବ ।

Tags: