ମାଡିଆସୁଛି ବାତ୍ୟା ‘ଆକଭାନ୍‌’, ମୁକାବିଲା ପାଇଁ ସରକାର ପ୍ରସ୍ତୁତ

ନେଲୋର ଓ ଟୁନି ମଧ୍ୟରେ ୟାନମ୍ ନିକଟବର୍ତ୍ତୀ ଉପକୂଳ ଅତିକ୍ରମ କରିବା ସମ୍ଭାବନା

ମାଡିଆସୁଛି ବାତ୍ୟା ‘ଆକଭାନ୍‌’, ମୁକାବିଲା ପାଇଁ ସରକାର ପ୍ରସ୍ତୁତ
Samaya Live News Picture
Published On

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟା ‘ଆକଭାନ୍‌’ର ରୂପ ନେବାପରେ ରାଜ୍ୟ ସରକାର ଆକ୍ସନ୍ ମୋଡକୁ ଆସିଛନ୍ତି । ଆସନ୍ତା ୨୦ତାରିଖ ମଧ୍ୟାହ୍ନରେ ଏହା ‘ଅତି ଭୀଷଣ ବାତ୍ୟା’ ରୂପ ଧାରଣ କରି ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି । ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆଜି ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ତଥା ୮ଜିଲ୍ଲାରେ ସରକାରୀ ଛୁଟି ବାତିଲ ସହ ୨୬୪ ଭୂସ୍ଖଳନପ୍ରବଣ ସ୍ଥାନ ଚିହ୍ନଟ କରାଯାଇଛି।ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ସୂଚନା ଅନୁଯାୟୀ, ଦକ୍ଷିଣ-ପୂର୍ବ ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଘଣ୍ଟାପ୍ରତି ୧୦ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ବାତ୍ୟା ‘ଆକଭାନ୍‌’ରେ ପରିଣତ ହୋଇଛି । ଆଜି ସନ୍ଧ୍ୟା ସୁଦ୍ଧା ଏହା ଭୀଷଣ ବାତ୍ୟା ଓ ୧୯ ତାରିଖ ସକାଳ ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବ । ୨୦ ତାରିଖ ମଧ୍ୟାହ୍ନ ବେଳକୁ ଏହା ଘଣ୍ଟାପ୍ରତି ୧୨୦ରୁ ୧୩୦ କିମି ବେଗରେ ପବନ ସହ ଆନ୍ଧ୍ରପ୍ରଦେଶର ନେଲୋର ଓ ତୁନି ମଧ୍ୟରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏଥିପାଇଁ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣଓଡ଼ିଶା ଉପକୂଳ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି କୋରାପୁଟ, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, ମାଲକାନଗିରି, କନ୍ଧମାଳ, ଗଞ୍ଜାମ ଓ ପୁରୀ ଭଳି ୮ଟି ଜିଲ୍ଲାରେ ବାତ୍ୟା ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଅନ୍ୟ ଜିଲ୍ଲାଗୁଡ଼ିକରେ ଛୁଟି ବାତିଲ ନେଇ ଜିଲ୍ଲାପାଳମାନେ ନିଷ୍ପତ୍ତି ନେବେ । ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବଦିନ ଅର୍ଥାତ୍ ୧୮ ତାରିଖରୁ ବର୍ଷା ବଢ଼ିବା ସହ ୧୯ ଓ ୨୦ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ବିଶେଷକରି ଗଞ୍ଜାମ, ପୁରୀ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

 

Tags: