'ଆମବସ' ଧକ୍କାରେ ସାଇକେଲ ଆରୋହୀ ଗୁରୁତର

'ଆମବସ' ଧକ୍କାରେ ସାଇକେଲ ଆରୋହୀ ଗୁରୁତର

ଭୁବନେଶ୍ୱର : ଥମିବାର ନାଁ ଧରୁନି ‘ଆମ ବସ୍‌’ ଆତଙ୍କ । କେଉଠି ଅଟୋ ଉପରେ ଚଢ଼ିଲାଣି ତ’ କେତେବେଳେ ବାଇକ୍‌ ଉପରେ ମାଡ଼ିଗଲାଣି । କେଉଁଠି ପଥଚାରୀଙ୍କ ଉପରେ ଚଢ଼ିଯାଉଛି। ଗତକାଲି ମଧ୍ୟ ରାଜଧାନୀରେ ଆମ ବସ୍ ଆତଙ୍କ ଖେଳାଇଛି । ପଳାସପଲ୍ଲୀ ଅଞ୍ଚଳରେ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଛି ‘ଆମ ବସ୍‌’। ପଳାସପଲ୍ଲୀ ଓଭର୍‌ବ୍ରିଜ୍‌ ପାଖରେ ଆମ ବସ୍‌ ଧକ୍କାରେ ଜଣେ ବୁଟ ବ୍ୟବସାୟୀ ଗୁରୁତର ଆହତ ହୋଇଛନ୍ତି । ସେ ହେଲେ ପୋଖରୀପୁଟ ଅଞ୍ଚଳର ୬୪ ବର୍ଷୀୟ ରମେଶ ପାତ୍ର । ତାଙ୍କ ଡ଼ାହଣ ଗୋଡ଼ ଉପରେ ବସ୍‌ ଚଢ଼ିଯିବାରୁ ଗୋଡ଼ ଭାଙ୍ଗିଯାଇଛି । ଘଟଣାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ବେପରୁଆ ଆମ ବସ୍‌ ଚାଳକର ଏଭଳି ଉନ୍ମତ୍ତକାଣ୍ଡ ଦେଖି ଉତ୍ତ୍ୟକ୍ତ ଲୋକେ ବସ୍‌କୁ ଭଙ୍ଗାରୁଜା କରିବା ସହ ବସ୍‌ରେ ନିଆଁ ଲଗାଇ ରାସ୍ତାରୋକ କରିଥିଲେ ।  ୨ ଘଣ୍ଟା ଧରି ପଳାସପଲ୍ଲୀ ଅଞ୍ଚଳରେ ନାକାବନ୍ଦି ସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ବସ୍‌କୁ ଜବତ କରିବା ସହ ଚାଳକକୁ କାବୁ କରି ଥାନାକୁ ନେବା ପରେ ସ୍ଥିତି ଆୟତ୍ତ ହୋଇଥିଲା। ତେବେ ଦୁର୍ଘଟଣା ପରେ ଆମ ବସ୍ କ୍ରୁଟ୍ ପକ୍ଷରୁ ତ୍ଵରିତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । କ୍ରୁଟ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ସାଇକେଲ ଆରୋହୀଙ୍କୁ ତୁରନ୍ତ ଏକ ଆମ୍ବୁଲାନ୍ସ ମାଧ୍ୟମରେ ଡାକ୍ତରଖାନାକୁ ନେଇଥିଲେ ଆବଶ୍ୟକୀୟ ଚିକିତ୍ସା କରିଛନ୍ତି । ଏସଓପି ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ୫୦,୦୦୦ ଟଙ୍କା କ୍ଷତିପୂରଣ ଯୋଗାଇଦିଆଯାଇଛି ।

ସମ୍ବନ୍ଧିତ ଖବର ରାଜ୍ୟରେ ପ୍ରତିଷ୍ଠା ହେବ ୪ ଟି ନୂଆ ବିଶ୍ୱବିଦ୍ୟାଳୟ

 

ସମ୍ବନ୍ଧିତ ଖବର ଫଳ ଉତ୍ପାଦନରେ ଓଡ଼ିଶାର ସ୍ଥାନ ୧୧ ନଂ

Tags: