କଟକ ଦଶହରା ଭସାଣିର ହେବ ସିଧା ପ୍ରସାରଣ

ସହରର ୪ଟି ପ୍ରମୁଖ ସ୍ଥାନରୁ ଭସାଣିର ସିଧା ପ୍ରସାରଣ କରାଯିବ

କଟକ ଦଶହରା ଭସାଣିର ହେବ ସିଧା ପ୍ରସାରଣ
Samaya Live News Picture
Published On

କଟକ: ଚଳିତ ବର୍ଷ ଐତିହାସିକ କଟକ ସହରର ପ୍ରସିଦ୍ଧ ଦଶହରା ଭସାଣି ଶୋଭାଯାତ୍ରାର ସିଧା ପ୍ରସାରଣ (Live Telecast) କରାଯିବ । ସୂଚନା ଓ ଲୋକସମ୍ପର୍କ ବିଭାଗ ଭସାଣ ଶୋଭାଯାତ୍ରାର ସିଧା ପ୍ରସାରଣ କରିବ। ଗୁରୁବାର ଜିଲ୍ଲାପାଳ ଦତ୍ତାତ୍ରୟ ଭାଓ ସାହେବ ସିନ୍ଦେଙ୍କ ଅଧ୍ୟକ୍ଷତାରେ କଟକ ନେତାଜୀ ସଂସ୍କୃତି ଭବନରେ ଅନଷ୍ଠିତ ଦୁର୍ଗାପୂଜା ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ଜିଲ୍ଲା ପ୍ରଶାସନର ୱେବସାଇଟ୍ ମାଧ୍ୟମରେ ସାରା ବିଶ୍ୱର ଶ୍ରଦ୍ଧାଳୁମାନେ ଘରେ ବସି ଏହି ଭସାଣି ଉତ୍ସବ ଦେଖିପାରିବେ ।

ମିଳିଥିବା ସୂଚନା ଅନୁସାରେ, ସହରର ଚାରିଟି ସ୍ଥାନରୁ ସିଧା ପ୍ରସାରଣ ହେବ । ଏଥି ସହିତ ଦୁର୍ଗାପୂଜା ସମ୍ପର୍କିତ ପୁସ୍ତକ ମଧ୍ୟ ବାଲିଯାତ୍ରାରେ ଉନ୍ମୋଚନ କରାଯିବ। ସେହିଭଳି ଦୁର୍ଗାପୂଜା ଆରମ୍ଭରୁ କଟକ ସହରର ବିଭିନ୍ନ ସ୍ଥାନରେ ଶୌଚାଳୟ ବ୍ୟବସ୍ଥା, କଟକର ମୁଖ୍ୟ ପ୍ରବେଶ ପଥର ୪ଟି ସ୍ଥାନରେ ତୋରଣ ସହ ସହରର ବିଭିନ୍ନ ସମସ୍ୟା ପୂଜା ପୂର୍ବରୁ ଶେଷ କରାଯିବାକୁ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ରଥଯାତ୍ରା ଓ ବାଲିଯାତ୍ରା ଭଳି କଟକର ପ୍ରସିଦ୍ଧ ଦୁର୍ଗାପୂଜା ଓ ଭସାଣିକୁ ଡିଜିଟାଲ୍ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ଏହାର ମୁଖ୍ୟ ଲକ୍ଷ୍ୟ। 

ଏହି ବୈଠକରେ କେଏମସି କମିଶନର, ମେୟର, ଶାନ୍ତି କମିଟି କର୍ମକର୍ତ୍ତାଙ୍କ ସମେତ କଟକ ଦୁର୍ଗା ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ। କମିଟି ପକ୍ଷରୁ ବିଭିନ୍ନ ସମସ୍ୟା ଉପରେ ଅବଗତ କରାଯାଇଛି।

 

Tags: