ନାଇଡୁ କମିଶନ ଫାଇଲ ହଜିବା ଘଟଣା , ତଦନ୍ତ ଦାୟିତ୍ୱ ନେଲା କ୍ରାଇମବ୍ରାଞ୍ଚ

ନାଇଡୁ କମିଶନ ଫାଇଲ ହଜିବା ଘଟଣା , ତଦନ୍ତ ଦାୟିତ୍ୱ ନେଲା କ୍ରାଇମବ୍ରାଞ୍ଚ
Samaya Live News Picture
Published On

ଭୁବନେଶ୍ୱର : କ୍ୟାପିଟାଲ ଥାନାରେ କ୍ରାଇମବ୍ରାଞ୍ଚ ଟିମ୍ । ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ କ୍ୟାପିଟାଲ ଥାନାରେ କ୍ରାଇମବ୍ରାଞ୍ଚର ତିନି ଜଣିଆ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କମିସନରେଟ ପୋଲିସ ପୂର୍ବରୁ ଏହି ମାମଲାରେ କରିଥିବା ତଦନ୍ତର ସମସ୍ତ ରିପୋର୍ଟ ଓ ଦସ୍ତାବିଜକୁ ଆଜି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ମାମଲାକୁ ପୁନଃ ରୁଜୁ କରାଯାଇ ‘ସିଆଇଡି ସିବି ପିଏସ୍‌ କେସ୍‌ ନଂ ୦୯/୨୦୨୬, ତାରିଖ ୨୮.୦୭.୨୦୨୬’ ଭାବେ ରୁଜୁ କରାଯାଇଛି । ଏହି ମାମଲାରେ ବିଏନଏସ୍‌ ର ଧାରା ୩୦୫, ୩୧୬(୨), ୨୩୮(ସି), ୨୪୧, ଏବଂ ୬୧(୨)(ବି) ଅନ୍ତର୍ଭୁକ୍ତ କରାଯାଇଛି । କଟକ ସିଆଇଡି କ୍ରାଇମବ୍ରାଞ୍ଚର ଡିଏସପି ଆଶୁତୋଷ ମିଶ୍ରଙ୍କୁ ଏହି ମାମଲାର ତଦନ୍ତ ଭାର ଦିଆଯାଇଛି । ସେହିପରି ସିଆଇଡି ସିବିର ଏସପି ଅନିରୁଦ୍ଧ ରାଉତରାୟ ତଦନ୍ତ ପ୍ରକ୍ରିୟାର ତଦାରଖ ଓ ପରିଚାଳନା କରିବେ।

ସୂଚନା ଅନୁସାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା ଏବଂ କନ୍ଧମାଳ ହିଂସାକାଣ୍ଡ ତଦନ୍ତ ସହ ଜଡ଼ିତ ‘ନାଇଡୁ କମିଶନ’ଙ୍କ ରିପୋର୍ଟ ଫାଇଲ ଗାଏବ ହେବା ଘଟଣା ଓଡ଼ିଶା ରାଜନୀତିରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ସମ୍ବେଦନଶୀଳ ମାମଲାର ହଜିଯାଇଥିବା ଫାଇଲକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଫାଇଲଟି କେଉଁ ପରିସ୍ଥିତିରେ ଏବଂ କାହା ସମୟରେ ଗାଏବ ହେଲା, ସେ ନେଇ କ୍ରାଇମବ୍ରାଞ୍ଚ ଆନୁଷ୍ଠାନିକ ଭାବେ ଖୋଳତାଡ଼ ଆରମ୍ଭ କରିବ ।

ଏହି ଘଟଣାରେ, ଏସ୍‌ଆଇଟି ବର୍ତ୍ତମାନ ସୁଦ୍ଧା ୭ଜଣଙ୍କୁ ନୋଟିସ୍ କରିଥିବାବେଳେ ୪ଜଣଙ୍କୁ ଜେରା କରିଛି । ହେଲେ ସେମାନଙ୍କର ଏହି ଫାଇଲ୍‌ ସହ କୌଣସି ସମ୍ପର୍କ ନଥିବା ଜାଣିବାକୁ ପାଇଛି । ତେଣୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅତିରିକ୍ତ ମୁଖ୍ୟ ସଚିବ ଉପେନ୍ଦ୍ର ନାଥ ବେହେରା, ପ୍ରମୁଖ ସଚିବ  ରାଜେଶ ବର୍ମା, ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନଙ୍କୁ ନୋଟିସ୍ କରିଥିଲେ ହେଁ ସେମାନେ କେହି ଏସ୍‌ଆଇଟି ଆଗରେ ହାଜର ହୋଇନାହାନ୍ତି । ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର ପୂର୍ବରୁ କ୍ୟାପିଟାଲ ଥାନାରେ ହାଜର ହୋଇ ନିଜର ପକ୍ଷ ରଖିସାରିଛନ୍ତି । ତେବେ ବର୍ତ୍ତମାନ ପୂର୍ବତନ ୫-ଟି ସଚିବ ଭି.କେ.ପାଣ୍ଡିଆନ ବିଦେଶରେ ଥିବାରୁ ଥାନାରେ ହାଜର ହୋଇ ନଥିଲେ । ସେହିପରି  ଅନ୍ୟ ଦୁଇ ପୂର୍ବତନ ଆଇଏଏସ (IAS) ଅଧିକାରୀ ରାଜେଶ ବର୍ମା ଏବଂ ଉପେନ୍ଦ୍ର ବେହେରା ହାଜର ହୋଇନାହାନ୍ତି । ତେଣୁ କ୍ରାଇମବ୍ରାଞ୍ଚ ଏମାନଙ୍କୁ ପୁଣିଥରେ ନୋଟିସ ପଠାଇବ ନା ସିଧାସଳଖ ଜେରା ପାଇଁ ପଦକ୍ଷେପ ନେବ, ସେ ନେଇ ସସପେନ୍ସ ଜାରି ରହିଛି ।

Tags: