ଆଜି ପୁଣି ସୈନିକ ସ୍କୁଲ ନିକଟରେ ଦୁର୍ଘଟଣା ଦମ୍ପତି ଗୁରୁତର
ଭୁବନେଶ୍ୱର : ଗତସନ୍ଧ୍ୟାରେ ସୈନିକ ସ୍କୁଲ ନିକଟରେ ଘଟିଥିବା ଛାତିଥରା ଦୁର୍ଘଟଣା ମନରୁ ନ ଲିଭୁଣୁ ଆଜି ପୁଣି ଘଟିଛି ଆଉ ଏକ ଭୟଙ୍କର ଦୁର୍ଘଟଣା । ଦମ୍ପତି ସ୍କୁଟରରେ ଯାଉଥିବାବେଳେ ପଛପଟୁ ଏକ ଦ୍ରୁତଗାମୀ ଟ୍ରକ ଆସି ଧକ୍କା ଦେଇ ଫେରାର ହୋଇଯାଇଛି । ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ସ୍ୱାମୀ-ସ୍ତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ସୈନିକ ସ୍କୁଲ ଦଶରଜା ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ମୈତ୍ରୀ ବିହାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବାକୁ ଉଦ୍ୟମ କରୁଛି ପୋଲିସ ।
ସୂଚନାନୁସାରେ, ଗତକାଲି ସନ୍ଧ୍ୟା ପ୍ରାୟ ୮ଟା ୩୦ ମିନିଟ ସମୟରେ ମୈତ୍ରିବିହାର ଥାନା ଅଞ୍ଚଳ ସୈନିକ ସ୍କୁଲ ପ୍ରେସ ଛକରେ ଘଟିଥିଲା ଭୟଙ୍କର ଦୁର୍ଘଟଣା । ଏକ ଦ୍ରୁତଗାମୀ ଇଭି କାର ଘଟାଇଥିଲା ସିରିଜ ଦୁର୍ଘଟଣା । ଏଥିରେ ୩ଜଣଙ୍କର ମୃତ୍ୟୁ ଘଟିବା ସହିତ ଆଉ ୪ ଜଣ ଆହତ ହୋଇଥିଲେ । ଦୁର୍ଘଟଣା ଘଟାଇଥିବା ମୁଖ୍ୟ ଅଭିଯୁକ୍ତ ଗାଡି ଡ୍ରାଇଭର ଅନିଲ କୁମାର ଗୌଡା ଥାନାରେ ଆତ୍ମସମର୍ପଣ କରିଛି । ଇଭି କାରକୁ ଜବତ କରି ତଦନ୍ତ କରୁଛି ପୋଲିସ ମୈତ୍ରୀବିହାର ପୋଲିସ ।




