ଅଦାଲତ ଅବମାନନା: ଉଷା ପାଢ଼ୀଙ୍କ ସହ ୪ ଅଧିକାରୀ ହାଇକୋର୍ଟରେ ହଜାର ହେବାକୁ ନିର୍ଦେଶ

ଅଦାଲତ ଅବମାନନା: ଉଷା ପାଢ଼ୀଙ୍କ ସହ ୪ ଅଧିକାରୀ ହାଇକୋର୍ଟରେ ହଜାର ହେବାକୁ ନିର୍ଦେଶ
Samaya Live News Picture
Published On

ଭୁବନେଶ୍ୱର : ଅଦାଲତ ଅବମାନନା ମାମଲାରେ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢୀଙ୍କୁ  ହାଇକୋର୍ଟ ନୋଟିସ I ତାଙ୍କ ସହିତ ଓଡିଶା ପୌର ପ୍ରଶାସନ ନିର୍ଦେଶକ ଗଗନ ବିହାରୀ ସ୍ବାଇଁ, ଟାଉନ ପ୍ଲାନିଂ ସ୍ବତନ୍ତ୍ର ସଚିବ ତଥା ନିର୍ଦେଶକ ସୁଶାନ୍ତ କୁମାର ମିଶ୍ର, ଆଠଗଡ଼ ସ୍ବତନ୍ତ୍ର ପ୍ଲାନିଂ କର୍ତ୍ତୃପକ୍ଷ ତଥା ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେଙ୍କୁ ଆସନ୍ତା ୩୦ ତାରିଖ ୧୦.୩୦ ମିନିଟ ସମୟରେ ହାଇକୋର୍ଟରେ ହାଜର କରାଇବା ପାଇଁ ପୁଲିସ କମିସନରଙ୍କୁ ନିର୍ଦେଶ ଦିଆଯାଇଛି । କାହିଁକି ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ କରାଯାଇ ନାହିଁ ସେ ସମ୍ପର୍କରେ ଜବାବ ଦେବା ପାଇଁ ଆଦେଶରେ ଉଲ୍ଲେଖ କରାଯାଇଛି । ଜଷ୍ଠିସ ଦୀକ୍ଷିତ କୃଷ୍ଣ ଶ୍ରୀପଦ ଏବଂ ଜଷ୍ଟିସ ମୃଗାଙ୍କ ଶେଖର ସାହୁ ମାମଲାର ଶୁଣାଣି କରି ଏହି ନିର୍ଦେଶ ଦେଇଛନ୍ତି ।

ଜଣେ ମହିଳା ୧୯୯୩ ମସିହା ଅପ୍ରେଲ ୨ ତାରିଖରେ ଡି.ଏଲ.ଆର୍ (ଦୈନିକ ମଜୁରୀ) ଭାବେ ଆଠଗଡ଼ ସ୍ପେଶାଲ୍ ପ୍ଲାନିଂ ଅଥରିଟି ଅଫିସରେ ଯୋଗ ଦେଇଥିଲେ। ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦେଶକ୍ରମେ କେତେକ କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଏକ ତାଲିକା ଗୃହ ଓ ନଗର ଉନ୍ନୟନ ସଚିବଙ୍କ ନିକଟକୁ ପଠାଯାଇଥିଲା ବେଳେ ଆବେଦନକାରିଣୀଙ୍କୁ ଛଡା ଅନ୍ୟ ସମସ୍ତ କର୍ମଚାରୀଙ୍କୁ ନିୟମିତ କରାଯାଇଥିଲା। ପରେ ଆବେଦନକାରିଣୀ ଜାଣିବାକୁ ପାଇଲେ ଯେ ତାଙ୍କୁ ଚାକିରିରୁ ଅନ୍ତର କରାଯାଇଛି। ଆବେଦନକାରିଣୀଙ୍କୁ ପୁନଃନିଯୁକ୍ତି ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ଆଦେଶ ଜାରି କରାଯାଇଥିଲା। ହେଲେ ଏହାକୁ ସରକାରଙ୍କ ପକ୍ଷରୁ ଖାରଜ କରିଦିଆଯାଇଥିଲା । ଏହାପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। 

ଏହି ମାମଲାରେ ଜାନୁଆରୀ ୨୨ ତାରିଖକୁ ମାମଲା ଶୁଣାଣି ପାଇଁ ଥିଲା । ସେହିଦିନ ନଗର ଉନ୍ନୟନ ବିଭାଗ ସଚିବ ଉଷା ପାଢ଼ୀ ଏବଂ ଅନ୍ୟ ଅଧିକାରୀଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଅଧିକାରୀମାନେ ଅଦାଲତଙ୍କଠାରୁ ପୁଣି ସମୟ ଲୋଡ଼ିଥିଲେ । ଏହାକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହୋଇଛନ୍ତି । ତାରିଖ ପରେ ତାରିଖ ମାଗିଚାଲିବା ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ମତ ଦେବା ସହ ଏହା ଅଦାଲତଙ୍କ ଆଦେଶର ଅବମାନନା ବୋଲି କହିଛନ୍ତି । ତେବେ ଧାର୍ଯ୍ୟ ସମୟ ମଧ୍ୟରେ ଯଦି ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ ହୋଇଥାଏ ତାହେଲେ ଶ୍ରୀମତୀ ପାଢ଼ୀ ଓ ଅନ୍ୟ ଅଧିକାରୀମାନଙ୍କୁ ହାଜର କରାଇବା ଆବଶ୍ୟକ ନାହିଁ ବୋଲି କୁହାଯାଇଛି I

Tags: