କନେଷ୍ଟବଳଙ୍କ ଆତ୍ମହତ୍ୟା
ଢେଙ୍କାନାଳ : କନଷ୍ଟେବଳଙ୍କ ଆତ୍ମହତ୍ୟା । ରୋଷେଇ ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ଢେଙ୍କାନାଳ ରିଜର୍ଭପୁଲିସରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କର ପ୍ରଧାନ(୩୪)ଙ୍କ ମୃତଦେହ । ଏ ନେଇ ଢେଙ୍କାନାଳ ଟାଉନଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ଶଙ୍କର ପ୍ରଧାନଙ୍କ ଘର ଗଜପତି ଅଞ୍ଚଳରେ । ସେ ଢେଙ୍କାନାଳ ରିଜର୍ଭ ପୁଲିସରେ ଓଏପିଏସ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ ଏବଂ ପରିବାର ସହ ଢେଙ୍କାନାଳ ସହରର ଖମାରସାହି ଅଞ୍ଚଳରେ ଭଡାଘର ନେଇ ରହୁଥିଲେ । ଗତ କିଛିଦିନ ତଳେ ଅତ୍ୟାଧିକ ମଦ୍ୟପାନ ହେତୁ ତାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିଲା ।
ଗତକାଲି ସେ ଡିୟୁଟିରୁ ଫେରିବା ପରେ ପରିବାର ସହ ମିଶି ଖିଆପିଆ କରିଥିଲେ । ପରେ କୌଣସି କାରଣକୁ ନେଇ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାପରେ ସମସ୍ତେ ଶୋଇବାକୁ ଯିବାପରେ ପରିବାର ଲୋକଙ୍କୁ ବାହାର ପଟୁ କବାଟ ବନ୍ଦ କରି ରୋଷେଇ ଘରେ ଆତ୍ମହତ୍ୟା କରିଥିଲେ ଶଙ୍କର। ସକାଳେ ପତ୍ନୀ କବାଟ ଖୋଲି ନପାରିବାରୁ ପଡୋଶୀଙ୍କ ଡାକ ପକାଇଥିଲେ I ସେମାନେ ଆସି କବାଟ ଖୋଲିଥିବାବେଳେ ରୋଷେଇ ଘରେ ଶଙ୍କର ପ୍ରଧାନଙ୍କୁ ବେକରେ ଗାମୁଛା ଲଗାଇ ଝୁଲିପଡିଥିବା ଦେଖିଥିଲେ । ଖବର ପାଇ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ଏନେଇ ଟାଉନ ଥାନାରେ ୩୩/୨୬ରେ ଏକ ମାମଲା ରୁଜୁ କରାଯାଇଛି ।




