୧୨ରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଭାରତ ବନ୍ଦ ଡାକରା,ସମର୍ଥନ କଲା କଂଗ୍ରେସ

୧୨ରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଭାରତ ବନ୍ଦ ଡାକରା,ସମର୍ଥନ କଲା କଂଗ୍ରେସ

ଭୁବନେଶ୍ୱର : ଧର୍ମଘଟ ଡାକରା ଦେଇଛି କେନ୍ଦ୍ରୀୟ ଶ୍ରମିକ ସଂଗଠନ । ଆସନ୍ତା ୧୨ ଫେବୃଆରୀ  ୧୦ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ଧର୍ମଘଟ ଡାକରାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି । ଏନେଇ ପିସିସି ସଭାପତି ଭକ୍ତଚରଣ ଦାସ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି । ଉପା ଅମଳରୁ ଚାଲିଆସିଥିବା କଲ୍ୟାଣକାରୀ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରି ଭିବି ଜି-ରାମ-ଜି ପରି ଶ୍ରମବିରୋଧୀ ଯୋଜନା ଆରମ୍ଭ କରିଥିବା ଅଭିଯୋଗ ଆଣି କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ନିରନ୍ତର ଧର୍ମଘଟ, ବିକ୍ଷୋଭ ଓ ଅନଶନ ଚାଲିଛି । ୧୦ଟି କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ, ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମଏସ, ସିଆଇଟିୟୁ, ଏଆଇଟିୟୁସି , ଏଆଇସିସିଟିୟୁ, ବିୟୁସିସି, ୟୁଟିୟୁସି, ଏଲ୍‌ପିଏଫ୍ ଓ ସେଓ୍ବା ସମେତ ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛନ୍ତି । ଏହାସହ ବିଭିନ୍ନ ବ୍ୟାଙ୍କ, ବୀମା, ରାଜ୍ୟ ଓ କେନ୍ଦ୍ର କର୍ମଚାରୀ ସଂଗଠନ ପରି ୫୦ରୁ ଅଧିକ ସ୍ବାଧୀନ ମହାସଂଘ ଆହ୍ବାନରେ ମନରେଗା ଉଚ୍ଛେଦ ବିରୋଧରେ ଓ ଶ୍ରମିକ-ବିରୋଧୀ ୪ ଶ୍ରମ-କୋଡ୍ ବାତିଲ ଦାବିରେ ଧର୍ମଘଟ କରାଯାଉଥିବାରୁ କଂଗ୍ରେସ ଏହାକୁ ସମର୍ଥନ ଜଣାଇଛି । ପିସିସିର ନିର୍ଦ୍ଦେଶ କ୍ରମେ ରାଜ୍ୟବ୍ୟାପୀ ସମସ୍ତ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ରାଜ୍ୟର ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ମାଗଣା ବିଜୁଳି ଦେବା ଓ ଚାଷୀଙ୍କ ପାଇଁ ବିଜୁଳି ଦେୟ ସମ୍ପୂର୍ଣ୍ଣ ଛାଡ଼ କରିବା ଦାବିରେ ଗତ ଦୁଇମାସ ହେଲା ଆନ୍ଦୋଳନ ହୋଇଆସୁଛି । ବିହନ, ସାର ଓ ଧାନସଂଗ୍ରହରେ ଅବ୍ୟବସ୍ଥା କରି ରାଜ୍ୟ ସରକାର ଚାଷୀକୁଳକୁ ଚରମ ଦୁର୍ଦ୍ଦିନକୁ ଠେଲିଦେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । “ମନରେଗା, ବିଜୁଳି ଓ ଚାଷୀଙ୍କ ସମସ୍ୟା ପ୍ରସଙ୍ଗକୁ ୧୨ ତାରିଖର ଧର୍ମଘଟରେ ସଂଗଠନମାନେ ଗୁରୁତ୍ବ ଦେଉଥିବାରୁ ଓଡ଼ିଶା କଂଗ୍ରେସ ପକ୍ଷରୁ ସ୍ବାଗତ କରାଯାଉଛି” ବୋଲି ଭକ୍ତ ଦାସ କହିଛନ୍ତି ।

ସମ୍ବନ୍ଧିତ ଖବର ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’: ପିଲାଙ୍କ ସହ ଦେଖିଲେ ମୁଖ୍ୟମନ୍ତ୍ରୀ

Tags: