ରାଜନୀତିରୁ ସନ୍ୟାସ ନେଲେ କଂଗ୍ରେସ ନେତା ଅମୀୟ ପାଣ୍ଡଵ
ଭୁବନେଶ୍ୱର : ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଲେ ବରିଷ୍ଠ କଂଗ୍ରେସ ନେତା ତଥା ସୁସାହିତ୍ୟିକ ଅମୀୟ ପାଣ୍ଡଵ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କୁ ପଠାଇ ଦେଇଛନ୍ତି । ୯୦ ଦଶକରୁ ରାଜନୈତିକ ଯାତ୍ରା ଆରମ୍ଭ କରି କଂଗ୍ରେସର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିବା ଶ୍ରୀ ପାଣ୍ଡବ ନିଜର ସାହିତ୍ୟିକ କୃତି ପାଇଁ ମଧ୍ୟ ଜଣାଶୁଣା। ତାଙ୍କର ଏହି ହଠାତ୍ ନିଷ୍ପତ୍ତି ରାଜ୍ୟ ରାଜନୀତିରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।
ସେ ନିଜର ସାମାଜିକ ଗଣ ମାଧ୍ୟମରେ ଏକ ଭିଡ଼ିଓ ଜରିଆରେ ସୂଚନା ଦେଇଛନ୍ତି । ସେ ସ୍ୱେଚ୍ଛାକୃତଭାବେ ରାଜନୀତି ଛାଡ଼ିଛନ୍ତି ବୋଲି କହିଛନ୍ତି । ସେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପରେ ରୋଷ ଝାଡ଼ିଛନ୍ତି । ଭକ୍ତ ଦାସଙ୍କ ଦଳ ପାଇଁ ସେ ଯୋଗ୍ୟ ନୁହଁନ୍ତି ବୋଲି କହିଛନ୍ତି ।
ସେ ୨୦୧୭ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ। ଦଳରେ ଥିବା ସମୟରେ ସେ କଂଗ୍ରେସ ରିସୋର୍ସ ସେଲର ରାଜ୍ୟ ସଂଯୋଜକ ଭାବେ କାର୍ଯ୍ୟ କରିବା ସହ ଦଳର ସୋସିଆଲ ମିଡିଆ ସେଲ୍ର ଅଧ୍ୟକ୍ଷ ଭାବେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସୁଥିଲେ।
ଅମୀୟ ପାଣ୍ଡବ ଜନତା ଦଳ (ସେକ୍ୟୁଲାର)ରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ । ସେ ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିଲେ । ୨୦୧୭ ମସିହାରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । କଂଗ୍ରେସରେ ପିସିସି ସେକ୍ରେଟାରୀ, ମୁଖପାତ୍ର ଏବଂ ସୋସିଆଲ ମିଡିଆ ଚେୟାରମ୍ୟାନ୍ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି ।



