କଂଗ୍ରେସକୁ କ୍ରସ ଭୋଟିଂ ଭୟ , ଫୋନ ଉଠାଉ ନାହାନ୍ତି ଦାଶରଥି
ଭୁବନେଶ୍ୱର : ରୋଚକ ମୋଡ଼ରେ ରାଜ୍ୟସଭା ନିର୍ବାଚନ । ୪ର୍ଥ ଆସନକୁ ନେଇ ଲାଗିରହିଛି ସସ୍ପେନ୍ସ । ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ସବୁ ପ୍ରକାର ବଳ ଲଗାଇ ଦେଇଛନ୍ତି । ବିଶେଷ କରି କଂଗ୍ରେସକୁ ଘାରିଲାଣି ଘୋଡା ବେପାର ଭୟ । ଏଆଇସିସି ସ୍କାନରରେ ଦାଶରଥୀ ଗମାଙ୍ଗ । ପିସିସି ସଭାପତି ଏବଂ ଏଆଇସିସି ନେତା ମାନେ ଦାଶରଥୀଙ୍କ ସହ ଯୋଗାଯୋଗ କରୁଛନ୍ତି । ହେଲେ ସେ ଫୋନ ଉଠାଉ ନାହାନ୍ତି । ଦାଶରଥିଙ୍କ ସହ ଦଳ ପକ୍ଷରୁ କୌଣସି ଯୋଗାଯୋଗ ହୋଇପାରୁ ନ ଥିବାବେଳେ ସେ କେଉଁଠାରେ ଅଛନ୍ତି କାହାକୁ ଜଣାନାହିଁ । ତଥାପି ତାଙ୍କ ଉପରେ କଂଗ୍ରେସ ଭରସା ରଖିଛି । ସେ ନିଶ୍ଚିତ ଦତ୍ତେଶ୍ୱର ହୋତାଙ୍କୁ ଭୋଟ ଦେବେ । ଯେଉଁମାନେ କ୍ରସ ଭୋଟିଂ କରିବେ, ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ବିଜେପି ଯେଉଁ ଯୋଜନା କରୁଛି, ସେଥିରେ ସଫଳ ହେବ ନାହିଁ ।
ଅନ୍ୟପଟେ , ଦଳରେ ହୁଇପ ସତ୍ୱେ ଗତକାଲି ପିସିସି ସଭାପତି ଭକ୍ତ ଚରଣ ଦାସ ୮ ବିଧାୟକଙ୍କୁ ନେଇ ବେଙ୍ଗାଲୁରୁ ଯାଇଛନ୍ତି । କର୍ଣ୍ଣାଟକରେ କଂଗ୍ରେସ ସରକାର ଥିବାରୁ ସେହି ସ୍ଥାନକୁ ସୁରକ୍ଷିତ ମଣିଛନ୍ତି। ଏହି ବିଧାୟକମାନେ ବେଙ୍ଗାଲୁରୁରେ ୱାଣ୍ଡର୍ଲା ରିସୋର୍ଟରେ ରହିଛନ୍ତି। ସେମାନେ ରବିବାର ସନ୍ଧ୍ୟା କିମ୍ବା ସୋମବାର ସକାଳୁ ଓଡ଼ିଶା ଫେରିବାର ସମ୍ଭାବନା ରହିଛି । ଓଡ଼ିଶାରେ ବର୍ତ୍ତମାନ ୬ ଜଣ ବିଧାୟକ ଅଛନ୍ତି। ସେମାନେ ହେଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ବିଧାୟକ ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସାଗର ଦାସ, ଦାଶରଥି ଗମାଙ୍ଗ ଏବଂ ସୋଫିଆ ଫିର୍ଦ୍ଦୋସ । ତେବେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଦାଶରଥୀ ଗମାଙ୍ଗ ହଠାତ ଅନ୍ତର୍ଦ୍ଧାନ ହେବାକୁ ନେଇ ଅନ୍ୟ କିଛି ଆଶଙ୍କା କରାଯାଉଛି ।



