ରକ୍ଷା ବନ୍ଧନ ଦ୍ୱନ୍ଦ୍ୱ ,ଜାଣନ୍ତୁ କେଉଁଦିନ ବାନ୍ଧିବେ ରାକ୍ଷୀ
ପୁରୀ : ରକ୍ଷା ବନ୍ଧନକୁ ପୁଣି ଉପୁଜିଛି ଦ୍ୱନ୍ଦ୍ୱ । କେଉଁ ଦିନ ପାଳନ ହେବ ଗହ୍ମା ପୂର୍ଣ୍ଣିମା । ଅନ୍ୟାନ୍ୟ ପର୍ବ ଭଳି ଏଥର ମଧ୍ୟ ଗହ୍ମାପୂର୍ଣ୍ଣିମା ଏବଂ ରକ୍ଷା ବନ୍ଧନକୁ ନେଇ ଦ୍ବନ୍ଦରେ ଅଛନ୍ତି ଲୋକେ । କ୍ୟାଲେଣ୍ଡର ଅନୁସାରେ ଅଗଷ୍ଟ ୨୮ ତାରିଖରେ ରକ୍ଷା ବନ୍ଧନ ପାଳନ ପାଇଁ ତିଥି ରହିଥିଲେ ମଧ୍ୟ ଅଗଷ୍ଟ ୨୭ ତାରିଖରୁ ପୂର୍ଣ୍ଣିମା ତିଥି ରହିଥିବା କୁହାଯାଉଛି । ତେଣୁ କେବେ ପାଳନ ହେବ ରକ୍ଷା ବନ୍ଧନ ଅଗଷ୍ଟ ୨୭ ନା ୨୮ । ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଦ୍ୱନ୍ଦ୍ୱ ଦୂର କରିଛନ୍ତି ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା । ଶ୍ରୀମନ୍ଦିର ସ୍ୱୀକୃତିପ୍ରାପ୍ତ ପଞ୍ଜିକା ଅନୁଯାୟୀ, ଶ୍ରୀମନ୍ଦିରରେ ଉଦୟ ପର୍ବ ଅନୁଯାୟୀ ୨୮ ତାରିଖରେ ପୂର୍ଣ୍ଣିମା ପାଳନ ହେବାକୁ ଥିବା ବେଳେ ରକ୍ଷାବନ୍ଧନ କିନ୍ତୁ ୨୭ ତାରିଖରେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।
ଘୋଷକ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଜଗନ୍ନାଥ ସଂସ୍କୃତି ଆଧାରରେ ଶ୍ରୀମନ୍ଦିରରେ ପାଳିତ ହେଉଥିବା ଦିନରେ ହିଁ ରକ୍ଷାବନ୍ଧନ ପର୍ବ ପାଳିବାକୁ ପରାମର୍ଶ ଦେଇଛନ୍ତି । ସେପଟେ, ଶ୍ରୀମନ୍ଦିରରେ ୨୮ ତାରିଖରେ ଓ ଅନ୍ୟ ସମସ୍ତ ସ୍ଥାନରେ ୨୭ ତାରିଖରେ ପାଳନ କରିବାକୁ ସ୍ପଷ୍ଟ କରିଛି ମୁକ୍ତି ମଣ୍ଡପ ପଣ୍ଡିତ ସଭା।
ସୂଚନା ମୁତାବକ, ରକ୍ଷାବନ୍ଧନ ଦିନ ବଳଭଦ୍ର ଜନ୍ମ ଓ ରକ୍ଷା ବନ୍ଧନ ଉତ୍ସବ ମଧ୍ୟ ପାଳିତ ହୋଇଥାଏ । ଶ୍ରୀମନ୍ଦିରରେ ୨୮ ତାରିଖରେ ହିଁ ବଳଭଦ୍ର ଜନ୍ମ ପାଳନ ହେବ । ପଞ୍ଜିକା ଅନୁଯାୟୀ, ଅଗଷ୍ଟ ୨୭ ତାରିଖ ସକାଳ ୯ଟା ୭ରୁ ପୂର୍ଣ୍ଣିମା ତିଥି ପ୍ରବେଶ କରିବ। ଅଗଷ୍ଟ ୨୮ ତାରିଖ ସକାଳ ୯ଟା ୪୯ ବେଳକୁ ପୂର୍ଣ୍ଣିମା ତିଥି ଅପସରି ଯାଇଥିବ। ଅର୍ଥାତ୍ ୨୮ ତାରିଖରେ ମାତ୍ର ଅଳ୍ପ କିଛି ଘଣ୍ଟା ପାଇଁ ପୂର୍ଣ୍ଣିମା ତିଥି ରହିବ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ଗୋଟିଏ ଦିନର ସୂର୍ଯ୍ୟ ଉଦୟ ସମୟରେ ଯେଉଁ ତିଥି ରହିଥାଏ, ସେହି ତିଥିରେ ପର୍ବ ପାଳନ ହୋଇଥାଏ। ସେହି କ୍ରମରେ ଶ୍ରୀମନ୍ଦିରରେ ୨୮ ତାରିଖରେ ହିଁ ଗହ୍ମା ପର୍ବ, ବଳଭଦ୍ର ଜନ୍ମ, ସୁଦର୍ଶନଙ୍କ ଚାରି ଆଶ୍ରମ ବିଜେ ନୀତି ପାଳନ ହେବ। ସ୍କନ୍ଦ ପୁରାଣ ଅନୁଯାୟୀ ଶ୍ରୀମନ୍ଦିରରେ ଉଦୟ ପର୍ବକୁ ବିଚାର କରି ୨୮ ତାରିଖରେ ପର୍ବ ପାଳନ କରାଯିବ । ଏ ସମ୍ପର୍କରେ ଜ୍ୟୋତିର୍ବିଦ ଓ ଗବେଷକ ହରିଶଙ୍କର ମିଶ୍ରଙ୍କ ସୂଚନା ଅନୁଯାୟୀ, ଯେହେତୁ ୨୮ତାରିଖ ସକାଳ ୯ଟା ପରେ ଅର୍ଥାତ୍ ଦିନ ଆରମ୍ଭର ମାତ୍ର କେଇଘଣ୍ଟା ପରେ ତିଥି ନଥିବ, ତେଣୁ ସେହି ଦିନ ପର୍ବ ପାଳନ କରିବା ଉଚିତ ନୁହେଁ । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ସେହିଦିନ ହିଁ ଉଦୟ ପର୍ବ ଅନୁଯାୟୀ ବଳଭଦ୍ର ଜନ୍ମ ଉତ୍ସବ ପାଳିତ ହେବ; ଏଥିରେ ଦ୍ୱନ୍ଦ୍ୱ ନାହିଁ। କିନ୍ତୁ ଘରେଘରେ ପର୍ବ ୨୭ତାରିଖରେ ପାଳିତ ହେବା ଉଚିତ ବୋଲି ସେ ସୂଚନା ଦେଇଛନ୍ତି। ସେପଟେ, ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ସୂଚନା ଅନୁଯାୟୀ, ଜଗନ୍ନାଥ ସଂସ୍କୃତି ଆଧାରରେ ଆମ ଚଳଣି । ସେହି ହିସାବରେ କୌଣସି ଦ୍ୱନ୍ଦ୍ୱ ନରଖି, ମହାପ୍ରଭୁଙ୍କ ଶ୍ରୀମନ୍ଦିର ପର୍ବ ଆଧାରରେ ୨୮ ଅଗଷ୍ଟରେ ହିଁ ପର୍ବ ପାଳନ କରାଯିବା ଉଚିତ ।




