କମେଡିଆନ ଗୁଲୁଆଙ୍କୁ ହତ୍ୟା ଧମକ
ଭୁବନେଶ୍ୱର : ୟୁଟ୍ୟୁବର ତଥା କମେଡିଆନ ଗୁଲୁଆଙ୍କୁ ହତ୍ୟା ଧମକ । ଏନେଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ସାହାଯ୍ୟ ମାଗିଛନ୍ତି ଗୁଲୁଆ । ତେବେ ଭିଡ଼ିଓରେ ସେ କାହା ନାଁ ନେଇନଥିଲେ ମଧ୍ୟ ତାଙ୍କ ନିଜ ପାଖ ଲୋକ ୩ ରୁ ୪ ଜଣ ତାଙ୍କୁ ହତ୍ୟା ଧମକ ଦେଇଥିବା କଥା କହିଛନ୍ତି । ଅଭିଯୁକ୍ତମାନେ ତାଙ୍କୁ ୧ କୋଟି ଟଙ୍କା ମାଗୁଛନ୍ତି । ଟଙ୍କା ନଦେଲେ ସୋସିଆଲ ମିଡ଼ିଆରେ ବଦନାମ କରିବାକୁ ଗୁଲୁଆଙ୍କୁ ଧମକ ଆସିଛି । ସେ ପୁଣି କହିଛନ୍ତି ଏନେଇ ଥାନାରେ ଅଭିଯୋଗ କରିବାକୁ ଯାଇଥିଲି, ହେଲେ ଧମକ ଦେଉଥିବା ଲୋକଙ୍କର ଥାନାରେ ହାତ ରହିଛି । ସେଥିପାଇଁ ମୁଁ ଥାନା ପର୍ଯ୍ୟନ୍ତ ଆଉ ଯାଇପାରିବି ନାହିଁ । ଅଜ୍ଞାତ ସ୍ଥାନରେ ଲୁଚି ସେଠାରୁ ଭିଡ଼ିଓ ମାଧ୍ୟମରେ ପ୍ରଶାସନକୁ ଅନୁରୋଧ କରି ସୁରକ୍ଷା ଲୋଡିଛନ୍ତି । ସେ ମାନସିକ ଯନ୍ତ୍ରଣାରେ ଥିବା କଥା କହିଛନ୍ତି । ଏନେଇ ବାଲିଅନ୍ତା ଥାନାରେ ଏତଲା ଦେଇଥିବା ସୂଚନା ମିଳିଛି ।
ଗୁଲୁଆ କହିଛନ୍ତି ଯେ ମୋତେ ଓ ମୋର ଟିମ୍ କୁ ତିନି ଥର ଧମକ ମିଳିନାଣି । ମୋତେ ବାଡେଇବାକୁ ଧମକ ମିଳୁଛି । ଆଜି ଯେହେତୁ କୋର୍ଟ ବନ୍ଦ, ସେଥିପାଇଁ କୌଣସି ଲିଗାଲ୍ ଆକ୍ସନ ନେଇପାରିବି ନାହିଁ । ମୋ ଭିଡିଓକୁ ହାଲକା ଭାବେ ନିଅନ୍ତୁ ନାହିଁ, ହୁଏତ କାଲି ସକାଳ ମୁଁ ନଦେଖି ପାରେ । ମୋ କଥାକୁ ଗୁରୁତ୍ୱ ନିଅନ୍ତୁ । ମୋତେ ବାରମ୍ବାର ଧମକ ମିଳୁଛି, ୫୦ଲକ୍ଷ ଟଙ୍କା ଦିଅ, ନଚେତ ସୋସିଆଲ ମିଡ଼ିଆରେ ବଦନାମ କରିଦେବି । ଲୁଚୁକି ଗୋଟେ ଜାଗାରେ ରହିଛି ।
ଗୁଲୁଆଙ୍କ ଧମକ ପୂର୍ଣ୍ଣ ଭିଡ଼ିଓରୁ ଜଣାପଡୁଛି ଯେ ତାଙ୍କ ସ୍ତ୍ରୀ ବର୍ଷା ଏଭଳି ଧମକ ଦେଇଥାଇପାରନ୍ତି । କାରଣ ବର୍ଷା ଗତ କିଛି ଦିନ ହେବା ନିଜର ଫେସବୁକ ପେଜରେ ଗୁଲୁଆଙ୍କୁ ଇଙ୍ଗିତ କରି କିଛି ପୋଷ୍ଟ କରିଛନ୍ତି । ବର୍ଷା ଲେଖିଛନ୍ତି ମହାନ୍ କଳାକାରଙ୍କ ପାଖରେ କାମ କରୁଥିବା ନାୟକ ମାନେ ବି କିଛି କମ୍ ନୁହଁନ୍ତି । ଆଗ ସେମାନଙ୍କ ପାଳି, ତା’ର ଦୁଃଖ ଶୁଣି ମୁଁ ତାକୁ କାମ ଦେଇଥିଲି ଆଉ ତୋର କାହାଣୀ ଆଗ ପର୍ଦ୍ଦାଫାଶ କରିବି ପ୍ରମାଣ ସହିତ । ବର୍ଷା କହିଛନ୍ତି ଏନେଇ ସେ ଖୁବ ଶୀଘ୍ର ଏକ ଭିଡିଓ ପୋଷ୍ଟ କରି ସମସ୍ତ ଖୁଲାସା କରିବେ ।



