ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ,ଛାତ୍ରୀ ଆଗୁଆ
ଜୁଲାଇ ପ୍ରଥମ ସପ୍ତାହରେ ଇମ୍ପୃଭମେଣ୍ଟ ପରୀକ୍ଷା
କଟକ : ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଦିନ ୧୨ଟା ୩୦ରେ ରେଜଲ୍ଟ ଘୋଷଣା କରିଛି ସିଏଚ୍ଏସଇ । ଏକାସଙ୍ଗେ ବାହାରିଲା ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ସିଏଚ୍ଏସଇ ଅଫିସରେ ବୁଧବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଫଳାଫଳ ଘୋଷଣା କରିଛନ୍ତି । ଏହି ସମୟରେ ଗଣଶିକ୍ଷା ସଚିବ ଏନ ଥିରୁମାଳା ନାଏକ, ସିଏଚଏସଇ ଅଧ୍ୟକ୍ଷ ମୃଣାଳି କାନ୍ତି ଦାସ, ପରୀକ୍ଷା ନିୟନ୍ତ୍ରକ ଉପସ୍ଥିତ ଥିଲେ । ରେଜଲ୍ଟକୁ ନେଇ ରାଜ୍ୟର ୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଏବଂ ଉତ୍କଣ୍ଠା ଦେଖିବାକୁ ମିଳିଛି ।
ପରୀକ୍ଷା ଫଳାଫଳ ଅନୁସାରେ ସମସ୍ତ ବର୍ଗରେ ଏଥର ବି ବାଜି ମାରିଲେ ଛାତ୍ରୀ । କଳା, ବାଣିଜ୍ୟ ଓ ବିଜ୍ଞାନରେ ଛାତ୍ରଙ୍କ ତୁଳନାରେ ଆଗୁଆ ରହିଛନ୍ତି ଛାତ୍ରୀ । କଳାରେ ଛାତ୍ରଙ୍କ ପାସ ହାର ୭୭.୯୭% ଥିବାବେଳେ ଛାତ୍ରୀଙ୍କ ପାସ ହାର ରହିଛି ୮୯.୪୫%। କଳାରେ ମୋଟ ପାସହାର ୮୪.୫୦% ।
ସେହିପରି ବାଣିଜ୍ୟରେ ଛାତ୍ରଙ୍କ ପାସହାର ୮୬.୬୭% ଥିବାବେଳେ ଛାତ୍ରୀଙ୍କ ପାସହାର ରହିଛି ୯୦.୪୩% । ବାଣିଜ୍ୟରେ ମୋଟ ପାସହାର ୮୮.୦୭% । ବିଜ୍ଞାନରେ ଛାତ୍ରଙ୍କ ପାସହାର ୮୭.୪୧% ଥିବାବେଳେ ଛାତ୍ରୀଙ୍କ ପାସହାର ରହିଛି ୯୦.୨୪% । ବିଜ୍ଞାନରେ ମୋଟ ପାସହାର ରହିଛି ୮୮.୮୦% ।
ଅପରାହ୍ନ ୩ଟାରେ ସାମସ୍ କଲେଜ ଇ-ସ୍ପେସରେ ଫଳାଫଳ ଉପଲବ୍ଧ ହେବ । results.odisha.gov.in, chseodisha.nic.in, orissaresults.nic.inରେ ଲିଙ୍କ୍ ଆକ୍ଟିଭ୍ ହେବା ପରେ ଫଳାଫଳ ମିଳିବ ।digilocker.gov.inରେ ଡିଜିଟାଲ୍ ମାର୍କସିଟ୍ ଉପଲବ୍ଧ ହେବ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଗୋଟିଏ ବିଷୟରେ ମାର୍କ ବଢ଼ାଇବାକୁ ଇମ୍ପ୍ରୁଭମେଣ୍ଟ୍ ପରୀକ୍ଷା ବ୍ୟବସ୍ଥା କରାଯାଇଛି । ସମସ୍ତ ପରୀକ୍ଷାରେ ପାସ୍ କରିଥିବା ପିଲାମାନେ କେବଳ ଗୋଟିଏ ବିଷୟରେ ଅଧିକ ମାର୍କ ରଖିବା ପାଇଁ ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ ।
ଚଳିତ ବର୍ଷ ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ଯାଏଁ ଯୁକ୍ତ ଦୁଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ବାର୍ଷିକ ପରୀକ୍ଷା ଦେଇଥିଲେ।
ଚଳିତ ବର୍ଷ ଯେକୌଣସି ଗୋଟିଏ ବିଷୟରେ ଇମ୍ପୃଭମେଣ୍ଟ ପରୀକ୍ଷା ଦେଇପାରିବେ ଛାତ୍ର ଛାତ୍ରୀ । ଏଥିପାଇଁ ସେହି ବିଷୟରେ ପିଲା ପାସ କରିଥିବା ଆବଶ୍ୟକ। ମାର୍କ ନେଇ କିଛି ସନ୍ଦେହ ଥିଲେ ପୁଣି ଥରେ ଇମ୍ପୃଭମେଣ୍ଟ ପରୀକ୍ଷା ଦେବେ। ଜୁଲାଇ ପ୍ରଥମ ସପ୍ତାହରେ ପରୀକ୍ଷା କରାଯିବ । ଆଜି ପରୀକ୍ଷାଫଳ ବାହାରି ସାରିବା ପରେ ଏନେଇ ଘୋଷଣା କଇଛନ୍ତି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।



