କୋଲ୍ଡ ଷ୍ଟୋରେଜ୍ ପାଇପ ଫାଟି ବିଷାକ୍ତ ଆମୋନିଆ ଗ୍ୟାସ ଲିକ
ଭୁବନେଶ୍ୱର : ରାଜଧାନୀରେ ଘଟି ଚାଲିଛି ଗୋଟିଏ ପରେ ଗୋଟିଏ ଅଘଟଣ । ଆଳୁ ଗୋଦାମ ପାଇପ ଫାଟି ବ୍ୟାପିଲା ବିଷାକ୍ତ ଆମଣିଆ ଗ୍ୟାସ । ଗତକାଲି ବିଳମ୍ବିତ ରାତିରେ ଆଇଗିଣିଆରେ ଥିବା ଆଳୁ ଗୋଦାମ ନିକଟରେ ଏକ ଶୀତଳ ଭଣ୍ଡାରର ପାଇପ୍ ଫାଟି ପୁରା ମାର୍କେଟରେ ବିଷାକ୍ତ ଆମେନିଆ ଗ୍ୟାସ୍ ବ୍ୟାପିଯାଇଥିଲା । ପ୍ରବଳ ଦୁର୍ଗନ୍ଧ ହେବା ସହ ଲୋକମାନେ ଅଣନିଶ୍ବାସୀ ହୋଇପଡିଥିଲେ । ଗ୍ୟାସ୍ ଯୋଗୁଁ ଆଖି ମଧ୍ୟ ପୋଡିଥିଲା । ଖବର ପାଇ ତମାଣ୍ଡୋ ଫାୟାର ଷ୍ଟେସନ, ଭୁବନେଶ୍ୱର ଫାୟାର ଷ୍ଟେସନ ଓ ସ୍ପେଶାଲ ଫାୟାର ଫାଇଟିଂ ଫୋର୍ସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚିଥିଲେ । ଦୋକାନ ଦୋକାନ ବୁଲି ଲୋକଙ୍କୁ ଉଦ୍ଧାର କରିଥିଲା । ପ୍ରଥମେ ସୁରକ୍ଷାମୂଳକ ପଦକ୍ଷେପ ଭାବେ ଆଖପାଖର ଲୋକମାନଙ୍କୁ ସେଠାରୁ ହଟାଯାଇଥିଲା । ଗ୍ୟାସ ଧୂଆଁକୁ ନିୟନ୍ତ୍ରଣ କରିବା ପାଇଁ କୋଲ୍ଡ ଷ୍ଟୋରେଜ ଭିତରେ ପାଣି ଛଟାଯାଇ ଦୀର୍ଘ ୪ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଗ୍ୟାସକୁ ଆୟତ୍ତ କରାଯାଇଥିଲା ।
ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ କୌଣସି କାରଣ ବଶତଃ ଆଇଗିଣିଆ କୋଲ୍ଡ ଷ୍ଟୋରେଜକୁ ଯାଇଥିବା ଆମୋନିଆ ଗ୍ୟାସ୍ ପାଇପ ଫାଟିଯାଇଥିଲା । ଯାହାଫଳରେ କ୍ଷଣକ ମଧ୍ୟରେ ଚାରିଆଡେ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ଏହାପରେ ଉକ୍ତ ସ୍ଥାନରେ ଥିବା ଲୋକମାନେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ଗ୍ୟାସ୍ ବ୍ୟାପିବା ଉପରେ ନିୟନ୍ତ୍ରଣ ପାଇଥିଲା । ଅପରେସନରେ ୩୫ ଜଣ ଅଗ୍ନିଶମ କର୍ମଚାରୀଙ୍କ ସହ ଡିଏଫ୍ଓ, ଏଏଫ୍ଓ ଓ ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସର ସାମିଲ ଥିଲେ। ତେବେ କିପରି ପାଇପରୁ ଆମୋନିଆ ଗ୍ୟାସ୍ ଲିକ୍ ହେଲା ସେ ନେଇ ତଦନ୍ତ ଜାରି ରହିଛି।



