ସୁଦୃଢ ହେଉଛି ତଟ ସୁରକ୍ଷା
ଭୁବନେଶ୍ୱର : ଓଡ଼ିଶା ପୁଲିସ ପକ୍ଷରୁ “ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬” ଅନୁଷ୍ଠିତ ।ଏହି ସମ୍ମିଳନୀରେ “ଉପକୂଳ ସୁରକ୍ଷା ବ୍ୟବସ୍ଥା: ସମସ୍ୟା, ସମାଧାନ ଓ ଆଗାମୀ ପଦକ୍ଷେପ” ଶୀର୍ଷକକୁ ନେଇ ବିସ୍ତୃତ ଆଲୋଚନା ହୋଇଛି । ବର୍ତ୍ତମାନ ସ୍ଥିତି, ପ୍ରମୁଖ ଚ୍ୟାଲେଞ୍ଜ, ସମ୍ଭାବ୍ୟ ସମାଧାନ ଏବଂ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ସମ୍ମିଳନୀକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ, ଉପକୂଳ ସୁରକ୍ଷା ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। ବର୍ତ୍ତମାନ ସୁଦୃଢ ହେଉଛି ସମୁଦ୍ର ତଟ । ଓଡିଶା ସୀମାରେ ନିଶା, ମାରଣାସ୍ତ୍ର ସ୍ମଗଲିଂ ଉପରେ ଲାଗିବ ରୋକ । ଅପରାଧୀ ଓ ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ପୋଲିସ ଡିଜି ଓ୍ୱାଇ ବି ଖୁରାନିଆ ।
ସେହିପରି ଓଡ଼ିଶାର ତଟ ସୁରକ୍ଷା ସୁଦୃଢ କରିବାକୁ ୧୫୦ କୋଟି କୋଷ୍ଟାଲ ସିକ୍ୟୁରିଟିକୁ ଦେଇଛନ୍ତି ସରକାର I ଏଥିରେ ସୁରକ୍ଷା ଦୁଷ୍ଟି କୋଣରୁ ଏରିଏଲ ସର୍ଭେଲାନ୍ସ, କୋଷ୍ଟାଲ ପାଟ୍ରୋଲିଂ, ଫିସିଂ ଟ୍ରଲର, ଫାଷ୍ଟ ଇଣ୍ଟରସେପ୍ଟ ବୋଟ, ସିସିଟିଭି, AI ଡ୍ରୋନ, ବୁଲେଟ ବ୍ରୁଫ ବୋଟ ବି ସାମିଲ ହେବ I ଉପକୂଳ ଅଞ୍ଚଳରେ ଥିବା ୧୮ଟି ମେରାଇନ ପୋଲିସ ଥାନାରେ ୭୦୦ରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି। ଏହାସହ ୧୫ଟି ଫାଷ୍ଟ ଇଣ୍ଟରସେପ୍ଟର ବୋଟ୍, ୫ଟି ଡ୍ରୋନ୍ ଏବଂ ୫ଟି ଭଡ଼ା ଟ୍ରଲର ମାଧ୍ୟମରେ ସାମୁଦ୍ରିକ ପାଟ୍ରୋଲିଂକୁ ସୁଦୃଢ଼ କରାଯାଇଛି । ରାଜ୍ୟର ଅର୍ଥନୈତିକ ବିକାଶ, ସାମୁଦ୍ରିକ ବାଣିଜ୍ୟ ଏବଂ ଜନସୁରକ୍ଷା ସହ ଏହା ନିବିଡ଼ ଭାବେ ସମ୍ପୃକ୍ତ । ଓଡ଼ିଶାର ୫୭୪.୭ କିଲୋମିଟର ଦୀର୍ଘ ଉପକୂଳ ଏବଂ ପାରାଦୀପ, ଧାମରା ଓ ଗୋପାଳପୁର ଭଳି ପ୍ରମୁଖ ବନ୍ଦରଗୁଡ଼ିକ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ଉପକୂଳ ଅଞ୍ଚଳର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ବୋଲି ସେ ମତପ୍ରକାଶ କରିଥିଲେ।



