ନୂଆ ଲୋକସେବା ଭବନ ଓ ବିଧାନସଭା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଗକୁ ଗୋଟିଏ ସ୍ଥାନରେ ରହିବ ଲୋକସେବା ଭବନ ଏବଂ ନୂଆ ବିଧାନସଭା । ଏନେଇ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ୭୧.୧୩ ଏକର ଜମିରେ ନିର୍ମାଣ ହେବ ନୂଆ ଲୋକସେବା ଭବନ ଏବଂ ବିଧାନସଭା । ଏଥିପାଇଁ ଖର୍ଚ୍ଚ ହେବ ୩ ହଜାର ୬୨୩ କୋଟି ଟଙ୍କା । ନୂଆଲୋକସେବା ଭବନରେ ରହିବ ଭୂ-ତଳ ପାର୍କିଂ । ଏନେଇ ମାଷ୍ଟରପ୍ଲାନ ଅନୁମୋଦନ ହୋଇଛି । ଆଜି ଲୋକସେବା ଭବନ କନଫରେନ୍ସ ହଲରେ ଜାତୀୟ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଅବସରରେ ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।
ସେହିପରି ଟ୍ରାଫିକ ଯନ୍ତ୍ରଣାରୁ ମୁକୁଳିବେ ସହରବାସୀ । ବଦଳିବ ଜୟଦେବ ବିହାର - ନନ୍ଦନକାନନ ରାସ୍ତାର ରୂପରେଖ । ଜୟଦେବ ବିହାରରୁ ନନ୍ଦନକାନନ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ‘ଏଲିଭେଟେଡ଼ କରିଡ଼ର’ର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରାଯିବ । ଏଥିପାଇଁ ୯୫୨ କୋଟି ଟଙ୍କା ବ୍ୟୟ କରିବେ ରାଜ୍ୟ ସରକାର । ଏହି ପ୍ରକଳ୍ପ ଅଧୀନରେ ଜୟଦେବ ବିହାର, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ ଏବଂ କିଟ ଛକରେ ଷ୍ଟେ -ଫ୍ଲାଏ ଓଭର ନିର୍ମାଣ ହେବ । ବିଶେଷ କରି ଜୟଦେବ ବିହାର ଛକରେ ଏକ ୪-ଲେନ ବିଶିଷ୍ଟ କେବୁଲ ଷ୍ଟେ ବ୍ରିଜ୍ ନିର୍ମାଣ କରିବାକୁ ଯୋଜନା ରହିଛି । ପରିବେଶକୁ ଗୁରୁତ୍ୱ ଦେଇ ରାସ୍ତାର ଦୁଇ ପାର୍ଶ୍ୱରେ ୨୨,୪୧୦ଟି ଗଛ ଲଗାଯିବ । ଆଜି ମୁଖ୍ୟମନ୍ତ୍ରୀ ମୋଟ ୬,୭୦୧ କୋଟି ଟଙ୍କାର ୭୧ଟି ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।



