ବିଶୃଙ୍ଖଳିତ ଆଚରଣ ପାଇଁ ୩ ପଲିଟେକନିକ ଅଧ୍ୟାପକଙ୍କୁ ନିଲମ୍ବିତ କଲେ ମୁଖ୍ୟମନ୍ତ୍ରୀ
ଯାଜପୁର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କଡା ପଦକ୍ଷେପ । ବିଶୃଙ୍ଖଳିତ ଆଚରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାଜପୁର ସରକାରୀ ପଲିଟେକ୍ନିକ୍ର ୩ ଜଣ ଅଧ୍ୟାପକ ଓ ଅଧ୍ୟାପିକା ହେଲେ ନିଲମ୍ବିତ । ନିଲମ୍ବିତ ହୋଇଥିବା ଅଧ୍ୟାପକମାନେ ହେଲେ ବରିଷ୍ଠ ଅଧ୍ୟାପକ ନୃସିଂହ ଚରଣ ବେହେରା, ଅଧ୍ୟାପକ ସନ୍ଦୀପ ମହାପାତ୍ର ଏବଂ ଅଧ୍ୟାପିକା ପି. ଆରାଧନା ।
ସୂଚନାନୁସାରେ , ଗତ ଅକ୍ଟୋବର ୨୬ ତାରିଖରେ ଯାଜପୁର ସରକାରୀ ପଲିଟେକ୍ନିକ୍ରେ ଏକ ବୈଠକ ବସିଥିଲା । ଏହି ବୈଠକ ବସିଥିବା ସମୟରେ ଏହି ତିନି ଜଣ ଅଧ୍ୟାପକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଦେଖୁ ଦେଖୁ ବିବାଦ ଏତେ ବଢିଥିଲା ହେ ଛତ୍ରଛାତ୍ରୀଙ୍କ ଉପସ୍ଥିତିରେ ଅଧ୍ୟାପକଙ୍କ ଭିତରେ ମାରପିଟ୍ ଓ ଅନ୍ୟାନ୍ୟ ଅଶୋଭନୀୟ ଆଚରଣ କରିବାକୁ ମଧ୍ୟ ପଛାଇନଥିଲେ । ଅଧ୍ୟାପନା ଭଳି ଏକ ମର୍ଯ୍ୟାଦାଜନକ ଶୈଖିକ ଅନୁଷ୍ଠାନରେ ଏଭଳି ଘୃଣ୍ୟ ଆଚରଣ ଶିକ୍ଷାନୁଷ୍ଠାନର ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିଥିଲା । ଯାହାକୁ ଗୁରୁତର ସହ ନେଇ ମୁଖ୍ୟମନ୍ତ୍ରୀ ଏହି ତିନି ଜଣ ଅଧ୍ୟାପକଙ୍କୁ ନିଲମ୍ୱିତ କରିବା ସହିତ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଏହି ୩ଜଣ ଅଧ୍ୟପକଙ୍କ ନିଲମ୍ବିତ କରାଯାଇଛି ।




