ମହାପ୍ରଭୁଙ୍କୁ ଦର୍ଶନ କରି ରାଜ୍ୟର ସମୃଦ୍ଧି କାମନା କଲେ ମୁଖ୍ୟମନ୍ତ୍ରୀ
ପୁରୀ: ଆଜି ମହାବୁହୁଙ୍କ ପବିତ୍ର ସ୍ନାନଯାତ୍ରା । ଶ୍ରୀକ୍ଷେତ୍ରରେ ପାଳନ ହେଉଛି ଚତୁର୍ଦ୍ଧା ମୂରତିଙ୍କ ଦିବ୍ୟସ୍ନାନ । ମହାପ୍ରଭୁଙ୍କ ସ୍ନାନଯାତ୍ରା ଦର୍ଶନ କରିବା ପାଇଁ ପୁରୀରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନ ମଣ୍ଡପରେ ଶ୍ରୀବିଗ୍ରହଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦାରୁବ୍ରହ୍ମଙ୍କ ଦର୍ଶନ କରି ଓଡ଼ିଶାକୁ ସମୃଦ୍ଧ କରିବା ଓ ସାରା ଜଗତର କଲ୍ୟାଣ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, "ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ଥିବା ଅଭିପ୍ରାୟ ଆଜି ପୂର୍ଣ୍ଣ ହୋଇଛି । ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ ଓ ସାରା ଜଗତର କଲ୍ୟାଣ ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛି । ରଥଯାତ୍ରା କିଭଳି ଭାବରେ ସୁରୁଖୁରୁରେ ସୂଚାର ରୂପେ ସମ୍ପର୍ଣ୍ଣ ହେବ ଓ ଓଡ଼ିଶାକୁ ସମୃଦ୍ଧ କରିବା ପାଇଁ ସରକାରଙ୍କ ପ୍ରୟାସରେ ଆଗକୁ ବଢ଼ିବ, ସେଥିପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି ।"
ମୁଖ୍ୟମନ୍ତ୍ରୀଙ୍କ ସହ ପୁରୀ ସାଂସଦ ସମ୍ବିତ ପାତ୍ର, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରଚନ୍ଦନ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, "ପବିତ୍ର ସ୍ନାନଯାତ୍ରା ଅବସରରେ ମହାପ୍ରଭୁଙ୍କ ଅଗଣିତ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶୁଭେଚ୍ଛା ଜଣାଉଛୁ । ମହାପ୍ରଭୁଙ୍କ କୃପାରୁ ସମସ୍ତ ନୀତିକାନ୍ତି ସୂଚାର ରୂପରେ ସମ୍ପର୍ଣ୍ଣ ହୋଇଛି । ସମସ୍ତଙ୍କୁ ଅନୁରୋଧ କରାଯାଉଛି ଯେ, ବ୍ୟବସ୍ଥା ଅନୁଯାୟୀ ସମସ୍ତେ ଆସି ଶୃଙ୍ଖଳିତ ଦର୍ଶନ କରନ୍ତୁ ।"




