ଢିଙ୍କିଆରେ ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
ଜଗତସିଂପୁର : ଜଗତସିଂପୁର ଜିଲ୍ଲା ଏରସମା ବ୍ଲକ୍ ଢିଙ୍କିଆ ଠାରେ JSW ର ଇଣ୍ଟିଗ୍ରେଟେଡ଼ ଷ୍ଟିଲ ପ୍ଲାଣ୍ଟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୁଧବାର ମଧ୍ୟାହ୍ନ ୧୨ଟାରେ ଜେଏସଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍ ଲିମିଟେଡ୍ ପକ୍ଷରୁ ପ୍ରସ୍ତାବିତ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ପ୍ରକଳ୍ପର ୫ଟି ନୂତନ ୟୁନିଟର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏହି ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପୂର୍ବ ଭାରତର ବିକାଶର ମଙ୍ଗ ଧରିବ ପାରାଦ୍ୱୀପ । ପାରଦ୍ୱୀପଠାରୁ ଏରସମା ପର୍ଯ୍ୟନ୍ତ ଶିଳ୍ପର ବିକାଶ ହେବ । ଯେଉଁ ବର୍ଷ ଦୁଇ ଦଶକ ତଳେ ଲୋକେ ଦେଖିଥିଲେ ଆଜି ତାହା ପୂରଣ ହେବାକୁ ଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାର ଉପରେ ବର୍ଷିଛନ୍ତି ।୨୦୦୫ରେ ମସିହାରେ ପୂର୍ବ ସରକାର ସମୟରେ ପୋସ୍କୋ ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । କିନ୍ତୁ ଆନ୍ତରିକତା ଅଭାବରୁ ପୋସ୍କୋ ରାଜ୍ୟ ସହିତ ଦେଶ ଛାଡ଼ି ପଳାଇଲା । କିନ୍ତୁ ବିଜେପି ସରକାର ଆସିବା ପରଠାରୁ ଶିଳ୍ପାୟନରେ ଅଗ୍ରଗତି ହୋଇଛି ।
ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ କହିଥିଲେ ଦିଲ୍ଲୀରେ ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥାଇ ମଧ୍ୟ ତାକୁ ପଛରେ ପକାଇ ଓଡ଼ିଶାରେ ଶିଳ୍ପର ବିକାଶ ପାଇଁ ମୁଁ ସେଠାରୁ ସିଧା ଏଠାକୁ ଆସିଛି । ଜେଏସଡବ୍ଲ୍ୟୁ ଇଣ୍ଟିଗ୍ରେଟେଡ୍ ଷ୍ଟିଲ ପ୍ଲାଣ୍ଟ ପାଇଁ ଓଡ଼ିଶାକୁ ବାଛିଥିବାରୁ କମ୍ପାନୀର ଅଧ୍ୟକ୍ଷ ସଜନ ଜିନ୍ଦଲଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ଦୀର୍ଘ ଦୁଇ ଦଶନ୍ଧି ଧରି ସ୍ଥାନୀୟ ଲୋକମାନେ ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ଆମ ସରକାର ପୂରଣ କରିଛି ବୋଲି କହିବା ସହ ନିର୍ଦ୍ଧାରିତ ସମୟର ଦୁଇ ବର୍ଷ ପୂର୍ବରୁ ଆମେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛୁ । ଏହି ଶିଳ୍ପର ତ୍ବରିତ ବିକାଶ ସହ ସ୍ଥାନୀୟ ଅଞ୍ଚଳର ଯୁବକ-ଯୁବତୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବାକୁ ଜେଏସଡବ୍ଲୁ ଅଧ୍ୟକ୍ଷଙ୍କୁ କହିଥିଲେ ।
JSW ଗ୍ରୁପ୍ ପୂର୍ବରୁ ଘୋଷଣା କରିଥିବା ତଥ୍ୟ ଅନୁଯାୟୀ, ପାରାଦୀପରେ ପ୍ରାୟ ୧୩.୨ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଏକ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ ପ୍ରାୟ ୬୫ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ରହିଛି । ୨୯୫୮ ଏକର ଜମିରେ ପ୍ରକଳ୍ପଟି ପର୍ଯ୍ୟାୟ କ୍ରମେ କାର୍ଯ୍ୟକାରୀ ହେବାକୁ ଥିବାବେଳେ ଏଥିରେ ଷ୍ଟିଲ୍ ଉତ୍ପାଦନ ସହିତ ସିମେଣ୍ଟ, ପାୱାର ଏବଂ ପୋର୍ଟ ଆଧାରିତ ଅନ୍ୟାନ୍ୟ ଶିଳ୍ପ ସୁବିଧା ମଧ୍ୟ ବିକଶିତ ହେବାର ଯୋଜନା ରହିଛି ।
ଏହି ପ୍ରକଳ୍ପ ମାଧ୍ୟମରେ ହଜାର ହଜାର ସ୍ଥାନୀୟ ଯୁବକଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିଯୁକ୍ତି ସୃଷ୍ଟି ହେବା ଆଶା କରାଯାଉଛି । ଏଥିସହ ସଡ଼କ, ପାଣି, ବିଦ୍ୟୁତ ଓ ବନ୍ଦର ସଂଯୋଗ ଭଳି ମଧ୍ୟ ବ୍ୟାପକ ଉନ୍ନତି ଆସିବ ବୋଲି କମ୍ପାନୀର ଅଧ୍ୟକ୍ଷ ସଜନ ଜିନ୍ଦଲ କହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଟ୍ରେନିଂ ସେଣ୍ଟର କରିବା ସହ ମୁଁ ହନୁମାନ ହୋଇ ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରିବୁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।



