ପ୍ରଧାନମନ୍ତ୍ରୀଙ୍କ ୨୫ବର୍ଷର ନିରବଚ୍ଛିନ୍ନ ସେବା ପାଇଁ ରାଜ୍ୟ କ୍ୟାବିନେଟ ବୈଠକରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମଙ୍ଗଳବାର ରାଜ୍ୟ ମନ୍ତ୍ରିମଣ୍ଡଳର ୪୮ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜନସାଧାରଣଙ୍କ ସେବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ବର୍ଷ କାର୍ଯ୍ୟକାଳ ପୂର୍ଣ୍ଣ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇ କ୍ୟାବିବିନେଟ ରେ ସଂକଳ୍ପ ପାରିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ପ୍ରଧାନମନ୍ତ୍ରୀଙ୍କ ନିରବଚ୍ଛିନ୍ନ ସେବା ଓ ସଂକଳ୍ପ ପାଇଁ ମୁଁ ତାଙ୍କୁ ରାଜ୍ୟବାସୀଙ୍କ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି ।
ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ଅନ୍ୟ ସମସ୍ତ ପ୍ରସ୍ତାବର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
କ୍ୟାବିନେଟ ବୈଠକରେ ୧୧ଟି ବିଭାଗର ୧୬ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି ।ମତ୍ସ୍ୟ ଓ ପ୍ରାଣୀପାଳନ ବିଭାଗ ର ୨ଟି,ଶିଳ୍ପ ବିଭାଗର ୧ଟି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ର ୧ଟି, ଅର୍ଥ ବିଭାଗ ର ୧ଟି, ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗ ର ୧ଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ର ୧ଟି, ଜଳ ସମ୍ପଦ ବିଭାଗର ୩ଟି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୩ ଟି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ୧ଟି ଏବଂ ଗୋଟିଏ ପ୍ରସ୍ତାବ ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ ର ସତ୍ରାବସାନ ସମ୍ପର୍କିତ ଏହିପରି ମୋଟ ୧୧ଟି ବିଭାଗର ୧୬ ଟି ପ୍ରସ୍ତାବ ରାଜ୍ୟ କ୍ୟାବିନେଟ ବୈଠକରେ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି ।




