ଭୟଭୀତ ନହେବା ପାଇଁ ଲୋକଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ

୩ ମନ୍ତ୍ରୀଙ୍କୁ ଦାୟିତ୍ୱ ନ୍ୟସ୍ତ

ଭୟଭୀତ ନହେବା ପାଇଁ ଲୋକଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ
Samaya Live News Picture
Published On

ଭୁବନେଶ୍ବର : ‘ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ନଦୀରେ ସୃଷ୍ଟ ବନ୍ୟା ପରିସ୍ଥିତି ଉପରେ ମୁଁ ଏବଂ ମୋ ସରକାର ପ୍ରତିଟି ମୁହୂର୍ତ୍ତରେ ସିଧାସଳଖ ନଜର ରଖିଛୁ । ବନ୍ୟାରେ କ୍ଷତିଗ୍ରସ୍ତ ପ୍ରତ୍ୟେକ ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି’ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ X ରେ ସୂଚନା ଦେଇ କହିଛନ୍ତି । 

ବୁଧବାର ସାମାଜିକ ଗଣମାଧ୍ୟମରେ ଶ୍ରୀ ମାଝୀ କହିଛନ୍ତି, ବନ୍ୟା ପରିସ୍ଥିତି ଓ ଏହାର ମୁକାବିଲା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲଫ୍‌ ଆୟୁକ୍ତଙ୍କ ସହିତ ସେ ଆଲୋଚନା କରିଛନ୍ତି । ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ସମଗ୍ର ପ୍ରଶାସନକୁ ନିର୍ଦେଶ ଦିଆଯାଇଛି । ବନ୍ୟା ପ୍ରଭାବିତଙ୍କୁ ନିବେଦନ, ଆଦୌ ବିଚଳିତ କିମ୍ବା ଭୟଭୀତ ହୁଅନ୍ତୁ ନାହିଁ । ଆମେ ପ୍ରତିଟି ପଦକ୍ଷେପରେ ଆପଣଙ୍କ ସହ ଛିଡ଼ା ହୋଇଛୁ। ପ୍ରଶାସନର ସୂଚନାକୁ ପାଳନ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶ୍ବାସନା ଦେଇଛନ୍ତି । ପ୍ରଭାବିତ ଅଞ୍ଚଳର ସ୍ଥିତି ଅନୁଧ୍ୟାନ ପାଇଁ ୩ଜଣ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଗଣେଶ ରାମ ସିଂ ଖୁଣ୍ଟିଆଙ୍କୁ ଦାୟିତ୍ୱ ଦିଆଯାଇଛି । ଏହାସହ ସେ ବନ୍ୟା ପରିସ୍ଥିତି ଏବଂ ଏହାର ମୁକାବିଲା ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଏବଂ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ ସହ ଆଲୋଚନା କରିଛନ୍ତି ।

ସେହିପରି,ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲାରେ ବନ୍ୟା ପରିଚାଳନା, ସ୍ଥାନାନ୍ତରଣ ଓ ରିଲିଫ୍ କାର୍ଯ୍ୟକୁ ତଦାରଖ କରିବା ପାଇଁ ୩ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଅଗ୍ନିଶମ ବିଭାଗର ୬୦ଟି ସ୍ୱତନ୍ତ୍ର ଟିମ ଏବଂ ଏନ୍‌ଡିଆରଏଫ୍, ଓଡ୍ରାଫ୍, ପୁଲିସ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ସମସ୍ତ ଆଶ୍ରୟସ୍ଥଳୀରେ ବିଶୁଦ୍ଧ ପାନୀୟ ଜଳ, ରନ୍ଧାଖାଦ୍ୟ, ଜରୁରୀ ସ୍ୱାସ୍ଥ୍ୟସେବା, ସର୍ପାଘାତ ପ୍ରତିଷେଧକ ଔଷଧ ଏବଂ ଗୃହପାଳିତ ପଶୁଙ୍କ ପାଇଁ ପର୍ଯ୍ୟାପ୍ତ ଗୋଖାଦ୍ୟ ଯୋଗାଇ ଦିଆଯାଉଛି । ଆଶ୍ରୟସ୍ଥଳୀକୁ ଆସୁଥିବା ନାଗରିକଙ୍କ ବାସଗୃହ ଓ ଧନ ସମ୍ପତ୍ତିର ସୁରକ୍ଷା ନିଶ୍ଚିତ କରିବା ପାଇଁ ପୁଲିସ ପକ୍ଷରୁ ରାତ୍ରିକାଳୀନ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି । ବନ୍ୟା କ୍ଷତିଗ୍ରସ୍ତ ବାସଗୃହ ଓ ଚାଷଜମି ପାଇଁ ପ୍ରଭାବିତ ଜନସାଧାରଣଙ୍କୁ ତ୍ୱରିତ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Tags: