ଦଣ୍ଡୁଆଙ୍କ ମୃତ୍ୟୁ ଘଟଣାରେ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକବ୍ୟକ୍ତ
ଢେଙ୍କାନାଳ : ପାଟଲା ଗାଁରେ ଦଣ୍ଡନାଚ ପ୍ରସ୍ତୁତି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଜଣ ପାଟୁଆଙ୍କ ମୃତ୍ୟୁ ଘଟିବା ସହ ୨ ଜଣ ଗୁରୁତର ଅଛନ୍ତି । ବିଷୁବ ସଂକ୍ରାନ୍ତି ପୂର୍ବରୁ ଏଭଳି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି । ଦଣ୍ଡନାଚ ପାଇଁ ଖୁସିର ମାହୋଲ ବଦଳରେ ଗାଁରେ ଖେଳିଯାଇଛି ଶୋକ ର ଛାୟା । ବିଦ୍ୟୁତ ବିଭାଗର ଅବହେଳାକୁ ଦାୟୀ କରି ଚାରିଟା ଦାବି ନେଇ ରାସ୍ତା ରୋକ କରିଥିଲେ ଗ୍ରାମବାସୀ । ବିଦ୍ୟୁତ ବିଭାଗର ଅବହେଳା ପାଇଁ ୩ଟି ମୂଲ୍ୟବାନ ଜୀବନ ଅକାଳରେ ଚାଲିଯାଇଥିବା ଲୋକେ ଅଭିଯୋଗ କରିଛନ୍ତି।
ଏହି ଦୁଃଖଦ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (CMRF)ରୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ସେହିପରି ଗୁରୁତର ଆହତଙ୍କୁ ତୁରନ୍ତ ଉନ୍ନତମାନର ସେବା ଯୋଗାଇ ଦେବାକୁ ନିର୍ଦେଶ ଦେଇଛନ୍ତି ।
ସେହିପରି ୩ଦଣ୍ଡୁଆଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଢେଙ୍କାନାଳ ଜିଲ୍ଲା ପାଟଲା ଗାଁରେ ଦଣ୍ଡନାଚ ପ୍ରସ୍ତୁତି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଜଣ ପାଟୁଆଙ୍କ ପ୍ରାଣହାନୀ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ସମସ୍ତଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି ଏବଂ ଗୁରୁତର ଆହତଙ୍କ ଶୀଘ୍ର ଆରୋଗ୍ୟଲାଭ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ।



