ଆଜି ଚିତାଲାଗି ଅମାବାସ୍ୟା

ସ୍ନାନ ପୂର୍ଣ୍ଣିମା ଦିନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଲଲାଟରୁ ଚିତା ଉଲାଗି କରାଯାଇଥାଏ । ତାହା ପୁଣି ଶ୍ରାବଣ ମାସ ଅମାବାସ୍ୟା ତିଥିରେ ଲାଗି କରାଯାଏ । ଶ୍ରୀ ଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା, ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ନିଜ ଚିତା ଏବଂ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟଖଚିତ ନାଲି ଚିତା ଲାଗି କରାଯାଏ । ପରମ୍ପରା ଏବଂ ବିଧିମୁତାବକ ପତିମହାପାତ୍ର ସେବାୟତ ଏହି ଚିତାକୁ ସଂସ୍କାର କରିବା ପରେ ଦଇତାପତି ସେବାୟତ […]

Samaya Live Picture
Published On

ସ୍ନାନ ପୂର୍ଣ୍ଣିମା ଦିନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଲଲାଟରୁ ଚିତା ଉଲାଗି କରାଯାଇଥାଏ । ତାହା ପୁଣି ଶ୍ରାବଣ ମାସ ଅମାବାସ୍ୟା ତିଥିରେ ଲାଗି କରାଯାଏ । ଶ୍ରୀ ଜଗନ୍ନାଥଙ୍କ ମସ୍ତକରେ ହୀରାଖଚିତ ଧଳା ଚିତା, ଶ୍ରୀ ବଳଭଦ୍ରଙ୍କ ମସ୍ତକରେ ନୀଳାଖଚିତ ନିଜ ଚିତା ଏବଂ ଦେବୀ ସୁଭଦ୍ରାଙ୍କ ମସ୍ତକରେ ମାଣିକ୍ୟଖଚିତ ନାଲି ଚିତା ଲାଗି କରାଯାଏ । ପରମ୍ପରା ଏବଂ ବିଧିମୁତାବକ ପତିମହାପାତ୍ର ସେବାୟତ ଏହି ଚିତାକୁ ସଂସ୍କାର କରିବା ପରେ ଦଇତାପତି ସେବାୟତ ଶ୍ରୀ ବିଗ୍ରହଙ୍କ ମସ୍ତକରେ ପରିଧାନ କରାଇଥାନ୍ତି ।

ଆଜି ଚିତାଲାଗି ଅମାବାସ୍ୟା

ଏହି ଚିତା ଶ୍ରୀବିଗ୍ରହମାନଙ୍କ ମସ୍ତକରେ ପରବର୍ତ୍ତୀ ସ୍ନାନପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିଥାଏ । ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ୧୩ଶହ ଶତାବ୍ଦୀରୁ ପାଳିତ ହୋଇଆସୁଛି ବୋଲି ଜଣାଯାଏ । ଅଷ୍ଟାଦଶ ଶତାବ୍ଦୀର ବିଶିଷ୍ଟ ଆଧ୍ୟାତ୍ମିକ ଲେଖକ ବାଲୁଙ୍କୀ ପାଠୀଙ୍କ ‘ଯାତ୍ରା ଭାଗବତ’ ସ୍ମୃତି ଗ୍ରନ୍ଥରେ ଲେଖିଛନ୍ତି ଶ୍ରୀମନ୍ଦିରରେ ପ୍ରଚଳିତ ଯାତ୍ରା ଭିତରେ ଚିତାଲାଗି ଅମାବାସ୍ୟାର ସ୍ୱତନ୍ତ୍ର ସ୍ଥାନ ରହିଛି । ଏହି ଶ୍ରାବଣ ମାସର ଅମାବାସ୍ୟା ତିଥିରେ ମହାପ୍ରଭୁ ଜଗନ୍ନାଥଙ୍କ ଲଲାଟରେ ଭୂଷଣ ଅର୍ପଣ କରାଯାଇଥାଏ ।

ଆଜି ଚିତାଲାଗି ଅମାବାସ୍ୟା

ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ଅକ୍ଷୟ ତୃତୀୟା ଓ ବୁଣା ବୁଣି ଶେଷ ପରେ କୃଷକମାନେ ପାଣି ହଳ ପାଇଁ ସଜବାଜ ହେବା ପୂର୍ବରୁ ଗେଣ୍ଡା, କୋଚିଆ, ଧଣ୍ଡ ପ୍ରଭୃତି ଅନିଷ୍ଠକାରୀ ଜଳଚରମାନଙ୍କ ସନ୍ତୋଷ ଲାଗି ବିଶେଷ ପିଠାପଣା ଆୟୋଜନ କରି ସେମାନଙ୍କୁ ଜଳରେ ଅର୍ପଣ କଲେ ସେମାନେ ସନ୍ତୁଷ୍ଟ ହୋଇଥାନ୍ତି । ଏହିଦିନରେ ଓଡ଼ିଶାର ଘରେ ଘରେ ହିନ୍ଦୁ ପରିବାରରେ ଖୀରି ଓ ସ୍ୱାଦିଷ୍ଟ ପିଠା ପ୍ରସ୍ତୁତ ହୋଇ ପ୍ରଥମେ କୁଳଦେବତା ଓ ଇଷ୍ଟଦେବତାଙ୍କଠାରେ ଅର୍ପଣ କରାଯାଇ ପରବର୍ତ୍ତୀ ସମୟରେ ଜଳଚରଙ୍କ ପାଇଁ ପୋଖରୀ, ନଈ ଓ ନାଳରେ ସମର୍ପଣ କରାଯାଏ ।

ଆଜି ଚିତାଲାଗି ଅମାବାସ୍ୟା

ଓଡ଼ିଆ ଜନଜୀବନରେ ଚିତାଲାଗି ଅମାବାସ୍ୟାକୁ ଚିତଉ ଅମେଇସା ନାମରେ ପ୍ରାୟ ସମସ୍ତେ ଜାଣନ୍ତି । ଏହି ଦିନ ବ୍ରାହ୍ମଣ ଶାସନରେ ପ୍ରତ୍ୟେକ ଘରେ ଚିତଉ ପିଠା ଓ ଖୀରି ପ୍ରସ୍ତୁତ ହୋଇ କୁଳଦେବତାଙ୍କ ସହ ଗ୍ରାମ ଦେବତୀଙ୍କୁ ସମର୍ପଣ କରାଯାଏ । ଚିତାଲାଗି ଅମାବାସ୍ୟା ଓଡ଼ିଆ ଜନଜୀବନରେ ସମସ୍ତଙ୍କର ପ୍ରିୟ ପାର୍ବଣ ଭାବେ ବେଶ୍‌ ପରିଚିତ ।

ଆଜି ଚିତାଲାଗି ଅମାବାସ୍ୟା

ଚିତାଲାଗି ଓଷା ଓଡ଼ିଆ ଘରର ଏକ ପ୍ରମୁଖ ପର୍ବ । ଗୃହିଣୀମାନେ ଘରେ ଚିତଉ ପ୍ରସ୍ତୁତ କରି ଏହି ପିଠାକୁ ଧାନ କ୍ଷେତରେ, ବାଡ଼ିବଗିଚାରେ, ଫସଲ କିଆରିରେ ମାଟିକୁ ଜନନୀ ଜ୍ଞାନ କରି ତାହାଙ୍କ ପାଇଁ ସମର୍ପଣ କରି ପୋଡ଼ନ୍ତି । ତା ସହିତ ଠାକୁର ବା ଇଷ୍ଟଦେବତାଙ୍କୁ ମଧ୍ୟ ଭୋଗ କରନ୍ତି । ଏହି ସମୟରେ ବିଲରେ ପ୍ରଚୁର ଗେଣ୍ଡା ଦେଖାଯାଆନ୍ତି ଏଣୁ ସାମାନ୍ୟ ଅସାବଧାନତାରୁ ଗେଣ୍ଡା ଗୋଡ଼ କାଟି ଦିଏ । ଏହି ଦୁଇଟିରୁ ରକ୍ଷା ପାଇବା ପାଇଁ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଚିତଉପିଠା କରି ପୋଖରୀ ବା ଚାଷଜମିକୁ ଫିଙ୍ଗାଯାଇଥାଏ । ଏହି ବିଧି ସକାଶେ ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲା ଆଦିରେ ଏହା ଗେଣ୍ଡାକଟା ଅମାବାସ୍ୟା ନାମରେ ଜଣା ।