ବିନା ଲାଇଫ ଜ୍ୟାକେଟରେ ଚିଲିକା ଭ୍ରମଣ ମନା

ବିନା ଲାଇଫ ଜ୍ୟାକେଟରେ ଚିଲିକା ଭ୍ରମଣ ମନା
Samaya Live News Picture
Published On

ଭୁବନେଶ୍ୱର : ଚିଲିକା ନୌବିହାରରେ ଲାଗିଲା କଟକଣା । ବିନା ଲାଇଫ ଜ୍ୟାକେଟରେ ଚିଲିକା ଭ୍ରମଣ ମନା । ରାଜ୍ୟରେ ଜାରି ରହିଛି କାଳବୈଶାଖୀ ଜନିତ ଘୁର୍ଣ୍ଣିବଳୟ । ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଥିବା ନେଇ ଆଲକାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।  ତେବେ ଏହାର ଦିଗ କେଉଁଠିକୁ ଯିବ ତାହା ଘୁର୍ଣ୍ଣିବଳୟ ସୃଷ୍ଟି ହେବା ପରେ ସ୍ପଷ୍ଟ ହେବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। ଏଣୁ ଏହି ସମୟରେ ଜିଲ୍ଲା ପ୍ରଶାସନକୁ ବାତ୍ୟା ଭୟ ଘାରିଛି । ବାତ୍ୟା ସମୟରେ ଲୋକଙ୍କ ଧନ ଜୀବନ ସୁରକ୍ଷା ଉପରେ ପ୍ରଶାସନ ଗୁରୁତ୍ୱାରୋପ କରିଛି । ଚିଲିକାରେ ବିନା ଲାଇଫ୍ ଜ୍ୟାକେଟରେ ପର୍ଯ୍ୟଟକଙ୍କ ନୌବିହାର ଏବଂ ଯାତ୍ରୀ ପରିବହନ ଉପରେ ଜିଲ୍ଲା ପ୍ରଶାସନ ରୋକ୍ ଲଗାଇଛି । ତେଣୁ ଚିଲିକା ଜଳଯାତ୍ରା ଓ ନୌକା ବିହାରରେ ବ୍ୟବହୃତ ଡଙ୍ଗା ଓ ବୋଟ୍ ମାଲିକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି ।

୨୦୦୪ ମସିହା ଆଇନ ଅନୁସାରେ ଚିଲିକାରେ ଚଳାଚଳ କରୁଥିବା ସମସ୍ତ ସରକାରୀ ଓ ଘରୋଇ ଡଙ୍ଗାଗୁଡ଼ିକରେ ପର୍ଯ୍ୟଟକ ଓ ଯାତ୍ରୀ ବିନା ଲାଇଫ୍ ଜ୍ୟାକେଟରେ ଜଳଯାତ୍ରା କରିପାରିବେ ନାହିଁ ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଯଦି କୌଣସି ଡଙ୍ଗା, ବୋଟ୍ ମାଲିକ ପ୍ରଶାସନ ନିର୍ଦ୍ଦେଶାନାମାକୁ ଉଲ୍ଲଙ୍ଘନ କରେ ତାହାହେଲେ ସଂପୃକ୍ତ ଡଙ୍ଗା ମାଲିକ ଓ ଚାଳକଙ୍କ ଉପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଶାସନ ଚେତାବନୀ ଦେଇଛି ।

ସେହିପରି ଘରୋଇ ଡଙ୍ଗା ଓ ନୌକାର ପରମିଟ୍, ଫିଟ୍ନେସ୍ ଯାଞ୍ଚ କରିବାକୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ ବିଭାଗୀୟ ଅଧିକାରୀଙ୍କୁ ଆଦେଶ ଦେଇଥିବା ଜଣାପଡ଼ିଛି । 

ସୂଚନାନୁସାରେ, ଆସନ୍ତା ୮ ରୁ ୯ ମଧ୍ୟରେ କେରଳ ଉପକୂଳରେ ଘୁର୍ଣ୍ଣିବଳୟ ହେବାକୁ ନେଇ ପୂର୍ବାନୁମାନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ବିଦେଶୀ ମଡେଲରେ ମଧ୍ୟ ବାତ୍ୟାକୁ ନେଇ ଆକଳନ କରାଯାଉଥିବାରୁ ତାହା ବଙ୍ଗୋପସାଗର ବା ଆରବସାଗରକୁ ମୁହାଁଇବ ସ୍ପଷ୍ଟ ହୋଇ ନଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ। କିନ୍ତୁ ବିଭିନ୍ନ ବିଦେଶୀ ମଡେଲ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ଦେଇଛନ୍ତି । ତେଣୁ ଆଉ କିଛିଦିନ ମଧ୍ୟ ରେ ଏହା ସ୍ପଷ୍ଟ ହେବ । ଅନ୍ୟପଟେ ରାଜ୍ୟରେ କାଳବୈଶାଖୀର ପ୍ରଭାବ ମଧ୍ୟ ରହିଛି।

Tags: